
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଲୋକଙ୍କ ପାଇଁ ମାଗିଲେ ହକ୍, ମାଗିଲେ ଜବାବ୍ । ଆଜି ଟ୍ୱିଟ ଯୋଗେ ଅପରାଜିତା ଷଡଙ୍ଗା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଅଧିକାରୀମାନେ ବିଳମ୍ବରେ କାର୍ଯ୍ୟ କରିବା ମନରେ କୌତୁହଳ ବଢାଇଛି । ମୁଖ୍ୟମନ୍ତ୍ରୀ ରୋମ ଓ ଟୋକିଓ ଯାଇପାରୁଛନ୍ତି, କିନ୍ତୁ ଆମ ରାଜ୍ୟର ଲୋକଙ୍କୁ ଭେଟିବାକୁ ନିଜର ବ୍ୟକ୍ତିଗତ ସଚିବଙ୍କୁ ପଠାଉଛନ୍ତି । ଯାହାକି ଆମ ଦେଶର ଗଣତାନ୍ତ୍ରିକ ଶାସନରେ କେଉଁଠି ଶୁଣିବାକୁ ମିଳେନାହିଁ ।
ରାଜନେତା ଓ ବ୍ୟରୋକ୍ରାଫ୍ଟ ମାନଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କୁ ଅଲଗା କରି ରଖିବା ପାଇଁ ଯୋଜନା ହୋଇଛି କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ଏପରିକି ଶେଷଥର କେବେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ସହ ଏକାଠି ବୈଠକ କରିଥିଲେ ବୋଲି ପଚାରିଛନ୍ତି ପ୍ରଶ୍ନ । ମୁଖ୍ୟମନ୍ତ୍ରୀଙ୍କୁ ଗୁଇନ୍ଦା ତଥା ଗୁପ୍ତ ତଥ୍ୟ କିଏ ଦେଉଛି । ତାଙ୍କ ଚାରିପଟେ କଣ ହେଉଛି ମୁଖ୍ୟମନ୍ତ୍ରୀ ଜାଣିଛନ୍ତି କି ବୋଲି ପ୍ରଶ୍ନ ପଚାରି ନିଶାନା ସାଧିଛନ୍ତି ଅପରାଜିତା ।
ଓଡିଶାର ଲୋକେ ସ୍ପଷ୍ଟ ଓ ନିରପେକ୍ଷ ଉତ୍ତର ଜାଣିବା ଆବଶ୍ୟକ । ଉତ୍ତରକୁ ଏଡାଇବାକୁ ଯାଇ ବାରମ୍ବାର ଗୃହ ମୁଲତବୀ ସହ ଏଥିରୁ ନିଜକୁ ଦୂରେଇ ରଖିବା ଦୁର୍ବଳତାର ପରିଚୟ ବୋଲି ଅପରାଜିତା କହିଛନ୍ତି । କିନ୍ତୁ ଏହା କେତେ ଦିନ ବୋଲି ପ୍ରଶ୍ନ ପଚାରିଛନ୍ତି ଭୁବନେଶ୍ୱର ସାଂସଦ ।