ରାୟପୁର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଛତିଶଗଡ଼ର ବିଳାସପୁର ଜିଲ୍ଲାର ଐତିହାସିକ ଏବଂ ଧାର୍ମିକ ନଗରୀ ରତନପୁର ସ୍ଥିତ ଆଦିଶକ୍ତି ମା ମହାମାୟା ଦେବୀ ମନ୍ଦିର ପହଂଚିଥିଲେ । ସେଠାରେ ସେ ପୂଜାର୍ଚ୍ଚନା କରିବା ସହ ଦେଶବାସୀଙ୍କ ସୁଖ, ସମୃଦ୍ଧି ଓ ପ୍ରଗତି କାମନା କରିଛନ୍ତି ।
ଏହି ସମୟରେ ସେଠାରେ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏବଂ କେନ୍ଦ୍ର ଜନଜାତି ବିକାଶ ରାଜ୍ୟମନ୍ତ୍ରୀ ରେଣୁକା ସିଂହ ଉପସ୍ଥିତ ଥିଲେ ।
ଐତିହାସିକ ଏବଂ ଧାର୍ମିକ ନଗରୀ ରତନପୁରର ଗୌରବମୟ ଇତିହାସ ରହିଛି । କଲଚୁରୀ ବଂଶର ଶାସକ ରତ୍ନଦେବ ପ୍ରଥମ ରତନପୁରକୁ ନିଜର ରାଜଧାନୀ କରିଥିଲେ । ଏବଂ ଏଠାରେ ଆଦିଶକ୍ତି ମା ମହାମାୟା ଦେବୀ ମନ୍ଦିର ନିର୍ମାଣ କରାଇଥିଲେ । ଏହି ମନ୍ଦିର ୧୧ଶହ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା । ମା ମହାମାୟା ରତନପୁର ଶାଖାର କଲଚୁରୀ ବଂଶର ରାଜାମାନଙ୍କର କୂଳଦେବୀ ଥିଲେ ।