ଭୁବନେଶ୍ୱର, 19 ଅଗଷ୍ଟ – ଛତିଶଗଡ଼଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆସନ୍ତାକାଲି ୨୦ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ଛତିଶଗଡ଼ ରାଜଭବନରୁ ପ୍ରକାଶିତ ଏକ ପ୍ରେସବିବୃତିରୁ ଜଣାପଡ଼ିଛି । ରାଜ୍ୟପାଳ ଶ୍ରୀ ହରିଚନ୍ଦନ ତାଙ୍କର ଏହି ଗସ୍ତରେ ବାଣପୁରର ପ୍ରଖ୍ୟାତ ଦେବୀ ମା’ ଭଗବତୀଙ୍କର ଦର୍ଶନ ସହିତ କେତେକ କାର୍ଯ୍ୟକ୍ରମରେ ଯୋଗଦେଉଥିବା ସୂଚନାମିଳିଛି ।
ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଓଡ଼ିଶା ଗସ୍ତର ପ୍ରଥମ ଦିବସ ତଥା ୨୦ ତାରିଖ ପୂର୍ବାହ୍ନରେ ରାୟପୁର ବିମାନବନ୍ଦରୁ ବାହାରି ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିବେ । ସେଠାରୁ ନିଜସ୍ୱ ବାସଭବନକୁ ଯିବେ ଏବଂ ସଂଧ୍ୟାରେ ଏମ୍ବିସି ଟିଭି ଦ୍ୱାରା ଆୟୋଜିତ ଶିକ୍ଷା ସମ୍ମିଳନୀ କାର୍ଯ୍ୟକ୍ରମରେ ଉଦ୍ଘାଟକ ଓ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିବେ । ୨୧ ତାରିଖ ସଂଧ୍ୟାରେ ଆନ୍ତର୍ଜାତୀୟ ସ୍ୱାଭିମାନ ପ୍ରତିଷ୍ଠାନ ଆନୁକୂଲ୍ୟରେ ଜୟଦେବ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ୧୩ତମ ଜାତୀୟ ଓଡ଼ିଶା ସ୍ୱାଭିମାନ ସମ୍ମିଳନୀରେ ଉଦ୍ଘାଟକ ଓ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ୨୧ ତାରିଖ ଦିନ କେତେକ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଆଲୋଚନା କରିବା ସହିତ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବେ । ୨୩ ତାରିଖ ଦିନ ବାଣପୁର ମା’ ଭଗବତୀଙ୍କ ଦର୍ଶନ କରିବା ପାଇଁ ଉକ୍ତଦିନ ପୂର୍ବାହ୍ନରେ ଯାତ୍ରା କରିବେ । ରାଜ୍ୟପାଳଙ୍କର ଏହି କାର୍ଯ୍ୟକ୍ରମରେ ନିଜସ୍ୱ ଗ୍ରାମ ଗୋଡ଼ିଝରକୁ ଯାଇ ତାଙ୍କ ପିତାଙ୍କର ଆରାଧ୍ୟଦେବ ବାଲୁଙ୍କେଶ୍ୱର ଦେବଙ୍କୁ ଦର୍ଶନ କରିବେ ଓ ପରେ ତାଙ୍କର ସ୍ୱର୍ଗତ ପିତା ପର୍ଶୁରାମ ହରିଚନ୍ଦନ ଓ ମାତା ପଦ୍ମାବତୀ ଦେବୀଙ୍କ ସମାଧିସ୍ଥଳରେ ଉଭୟ ମାତାପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଅପରାହ୍ନରେ ମା’ ଭଗବତୀଙ୍କ ଦର୍ଶନ ସାରି ଆୟୋଜିତ ବାଣପୁର, ଗମ୍ଭାରିମୁଣ୍ଡା, ବାଲୁଗାଁ ଆଦି ବିଭିନ୍ନ ସ୍ଥାନମାନଙ୍କରେ ସମ୍ବର୍ଦ୍ଧନା କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ରାଜ୍ୟପାଳ ବାଲୁଗାଁସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ପୂଷ୍ପମାଲ୍ୟାର୍ପଣ କରିବା ସହିତ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି ଭୂବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତନ କରିବେ । ୨୪ ତାରିଖ ଦିନ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ଆଲୋଚନା ପରେ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବେ ଓ ୨୫ ତାରିଖ ପୂର୍ବାହ୍ନରେ ରାୟପୁର ରାଜଭବନ ଅଭିମୁଖେ ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ଥିବା ରାଜଭବନରୁ ପ୍ରକାଶିତ ଏକ ପ୍ରେସବିବୃତିରୁ ଜଣାପଡ଼ିଛି ।