ଭୁବନେଶ୍ୱର, 8 ସେପ୍ଟେମ୍ବର – ଆଭ୍ୟନ୍ତରୀଣ ଓଡିଶାରେ ଲଘୁଚାପ ବଳୟ ସକ୍ରିୟ ରହିଥିବା ବେଳେ ରାଜ୍ୟର ବିଭିନ୍ନ ଅଂଚଳରେ ଦକ୍ଷିଣପୂର୍ବ ମୌସୁମୀ ସକ୍ରିୟ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ତେବେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ । ସେହିପରି ୧୧ ଏବଂ ୧୨ ତାରିଖରେ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ସମ୍ଭାବନା ରହିଛି । ୧୨ ତାରିଖରୁ ପୁଣି ବର୍ଷାର ବିସ୍ତୃତି ଏବଂ ପରିମାଣ ବଢ଼ିବ ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୌସୁମୀ ନିମ୍ନଚାପ ରେଖା ଶୁକ୍ରବାର ତାର ସାଧାରଣ ଅବସ୍ଥାନ ଠାରୁ ଦକ୍ଷିଣରେ ରହିବା ସହ ରାଜସ୍ଥାନର ଯଶେଲମେରରୁ ବାହାରି କୋଟା, ରାଇସେନ, ପେନ୍ଦ୍ରାରୋଡ଼, ଜାମସେଦପୁର ମଧ୍ୟ ଦେଇ ପଶ୍ଚିମବଙ୍ଗର ଦିଘାରୁ ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ ଉତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି ତଥା ବାୟୁମଣ୍ଡଳରେ ୨.୧ କିମି ଉଚ୍ଚତା ଯାଏଁ ବ୍ୟାପିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ଆଜି ସକାଳେ ବର୍ଷା ଲାଗିରହିଛି । ୨୪ ଘଂଟା ମଧ୍ୟରେ ରାଜ୍ୟର ୧୩ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭ ରୁ ୧୧ସେମି) ସମ୍ଭାବନା ରହିଥିବାରୁ ଏହିସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ଼, ବରଗଡ଼,ଝାରସୁଗୁଡ଼ା , କେନ୍ଦୁଝର,ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର,ଅନୁଗୁଳ, ଢ଼େଙ୍କାନାଳ,କଟକ,ସମ୍ବଲପୁର ଓ ଦେବଗଡ ।