ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣାରୁ ଉଦ୍ଧାର ହୋଇଥିବା ଅଚିହ୍ନା ଶବ ଦାହ ସମୟରେ ଉପସ୍ଥିତ ରହିବେ ସିବିଆଇ ଅଧିକାରୀ । ଏମ୍ସରୁ ଶବକୁ ବିଏମସିକୁ ହସ୍ତାନ୍ତର ସମୟରେ ମଧ୍ୟ ସିବିଆଇ ଅଧିକାରୀ ଉପସ୍ଥିତ ରହିବେ । ଏଥିପାଇଁ ଏମ୍ସ ସିବିଆଇକୁ ଚିଠି ଲେଖିଛି ବୋଲି ବିଏମସି କମିଶନର ବିଜୟ ଅମୃତା କୁଳାଙ୍ଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଦିଲ୍ଲୀରୁ ସିବିଆଇ ଅଧିକାରୀ ଆସିବା ପରେ ଶବ ହସ୍ତାନ୍ତର ଓ ଦାହ ପ୍ରକ୍ରିୟା ଆରମ୍ଭ ହେବ । ଯେଉଁଦିନ ଏମ୍ସ ଶବ ହସ୍ତାନ୍ତର କରିବ ସେହିଦିନ ହିଁ ଶବ ଦାହ କରାଯିବ । ଶବ ଗୁଡିକ କାଠ ଜରିଆରେ ପୋଡ଼ାଯିବ । ଏନଏଚଆରସି ଗାଇଡଲାଇନ ଅନୁସାରେ ସତ୍କାର ହେବ । ଭୁବନେଶ୍ୱରର ସତ୍ୟନାଗର, ଭରତପୁର ସହ ଅନ୍ୟ ଶ୍ମଶାନ ବି ଅଛି ଯେଉଁଠି ସତ୍କାର କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।
ସୂଚନାଯୋଗ୍ୟ ଯେ ବହୁ ଚର୍ଚ୍ଚିତ ବାହାନଗା ରେଳ ଦୁର୍ଘଟଣାରେ ଚିହ୍ନଟ ହୋଇନଥିବା ୨୮ ମୃତଦେହ ଏବେ ବି ଏମସ୍ ପରିସରରେ ରହିଛି । ଡିଏନଏ ଟେଷ୍ଟ ପରେ ମଧ୍ୟ କିଛି ମୃତଦେହ ଚିହ୍ନଟ ହୋଇ ପାରିନଥିଲା । ବଡ଼ି ଡିସପୋଜ ପାଇଁ ଅଗଷ୍ଟ ୨୫ରେ ସିବିଆଇ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିଲା । ଏହାପରେ ଅକ୍ଟୋବର ୭ରେ ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ଲେଖିବା ପରେ ଅଚିହ୍ନା ମୃତ ଶରୀର ଡିସପୋଜ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଏମସି ।