ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି । ସେ କହିଛନ୍ତି, ଜଣେ ଲୋକଙ୍କ ହୀନ ମାନସିକତା ପାଇଁ ହସ୍ପିଟାଲ ବଦନାମ ହେଲା । ପୁଲିସ ଠାରୁ ଆରମ୍ଭ କରି କୋର୍ଟ ସମସ୍ତଙ୍କ ସମୟ ବରବାଦ ହେଲା । ଏଭଳି ଲୋକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ ଆହୁରି କହିଛନ୍ତି ଯେ, ଛୁଆ ଜନ୍ମ ହେବା ପରେ ପ୍ରଥମେ ମା’କୁ ପୁଅ ହୋଇଛି କି ଝିଅ ଜଣା ଯାଏ । ତାପରେ ରେଜିଷ୍ଟର୍ ରେ ଲେଖାଯାଏ,ଛୁଆର ଫୁଟ ପ୍ରିଂଟ ରଖାଯାଏ । ଛୁଆ ସୁସ୍ଥ ଥିଲେ ଟ୍ୟାଗ ଲଗାଯାଏ, ଯଦି ଅସୁସ୍ଥ ଥାଏ ତେବେ ଟ୍ୟାଗ ଲଗା ହୁଏନି । ପରିବାର ଲୋକଙ୍କୁ ଜଣାଯାଏ । ଝିଅ ହୋଇଛି ବୋଲି ଆମେ ମୂଳରୁ ନିଶ୍ଚିତ ଥିଲୁ । ସୂଚନାଯୋଗ୍ୟ, ଗତ ମାସରେ ପ୍ରାଣକୃଷ୍ଣ ବିଶ୍ୱାଳ ତାଙ୍କ ପତ୍ନୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ । ପତ୍ନୀ ଏକ ପୁଅ ଜନ୍ମ ଦେଇଛନ୍ତି ବୋଲି ମହିଳା ଆେଂଟଣ୍ଡାଂଟ କହି ଦେଇଥିଲେ । ହେଲେ ତାଙ୍କୁ ଝିଅ ହସ୍ତାନ୍ତର କରାଯାଇଥିଲା । ଠିକ୍ ସେହି ସମୟରେ ଅନ୍ୟ ଜଣେ ମହିଳା ପୁଅ ଜନ୍ମ ଦେଇଥିଲେ । ଏହାକୁ ନେଇ ପ୍ରାଣକୃଷ୍ଣ କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହୋଇଥିଲେ । ମାମଲାର ସମାଧାନ ପାଇଁ ଏକମାତ୍ର ବିକଳ୍ପ ଥିଲା ଡିଏନ୍ଏ ପରୀକ୍ଷା । ଆଉ ଏହାରି ଭିତରେ ହସ୍ପିଟାଲ କର୍ତୃପକ୍ଷ ମହିଳା ଆେଂଟଣ୍ଡାଂଟଙ୍କୁ ନିଲମ୍ବନ କରିଥିଲେ । ଡିଏନ୍ଏ ପରୀକ୍ଷା ପାଇଁ କୋର୍ଟ ଅନୁମତି ଦେବା ପରେ ଗତ ସୋମବାର ମା’ ଓ ନବଜାତ ଶିଶୁର ରକ୍ତ ନମୂନା ସଂଗ୍ରହ କରାଯାଇଥିଲା । ରିପୋର୍ଟ ଆସିବା ପରେ ପ୍ରାଣକୃଷ୍ଣଙ୍କ ଝିଅ ହୋଇଥିବା ସ୍ପଷ୍ଟ ହୋଇଥିଲା ।