ହରଦୋଇ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଶାଳୀନ ଟିପ୍ପଣୀ ଦେଇଥିବା ବିଜେପି ନେତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଅତରୌଲିର ଉପାଧ୍ୟକ୍ଷ ତଥା ବିଜେପି ନେତା ଅମଲ ଶୁକ୍ଲାଙ୍କ ବିରୁଦ୍ଧରେ ସୋମବାର ମାମଲା ରୁଜୁ କରିଛି ପୋଲିସ । ଯୋଗୀ ଆଦିତ୍ୟନାଥଙ୍କ ବିରୁଦ୍ଧରେ ସେ ଅଶାଳୀନ ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଛି । ଏହାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିଧାନ ପରିଷଦ ସଦସ୍ୟ ଅଶୋକ ଅଗ୍ରୱାଲ ଅମଲ ଶୁକ୍ଲାଙ୍କୁ ନିଜର ପ୍ରତିନିଧି ନୁହନ୍ତି ବୋଲି ସ୍ପଷ୍ଟ ଭାବେ ମନା କରିଛନ୍ତି ।
ଭାଇରାଲ ଅଡିଓରେ ଅମଲ କାହା ସାଙ୍ଗରେ କଥା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୁଦ୍ଧରେ ଅତ୍ୟନ୍ତ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ଏନେଇ କ୍ଷେତ୍ରୀୟ ମହାସଭାର ଅଧ୍ୟକ୍ଷ ରାଜପାଳ ସିଂହ କୋତୱାଲି ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଛି । ଅନପଟେ ଅଡିଓ ଭାଇରାଲ ପରେ ଅମଲ ଶୁକ୍ଲାକୁ ଦଳରୁ ବହିଷ୍କାର କରାଯାଇଛି ।