ଭୁବନେଶ୍ୱର : ଅକ୍ଟୋବର ୧୦ରେ ପ୍ରସ୍ତାବିତ ରାଜ୍ୟବ୍ୟାପି ବସ୍ ଧର୍ମଘଟ ଆସନ୍ତା ୩୧ ଅକ୍ଟୋବର ଯାଏଁ ସ୍ଥଗିତ ରଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବସ୍ ମାଲିକ ସଂଘର ବୈଠକ ପରେ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି । ସଂଘର ନିଷ୍ପତି ଅନୁଯାୟୀ ରାଜ୍ୟରେ ଆସନ୍ତାକାଲି (ଅକ୍ଟୋବର ୧୦)ରେ ବସ୍ ଧର୍ମଘଟ ହେବନାହିଁ ।
ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଏହି ଧର୍ମଘଟ ଡାକରା ଦେଇଥିଲା । ହେଲେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍ଓ)ଙ୍କ ସହ ବସ୍ ମାଲିକ ସଂଘର ବୈଠକ ହୋଇଥିଲା । ଆଲୋଚନା ସକରାତ୍ମକ ହୋଇଥିବା ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ବୈଠକ ପରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ । ସେ କହିଥିଲେ ଯେ ‘ସରକାର ଆମ ଦାବି ଶୁଣିଛନ୍ତି ଓ ଆମର ଦାବିକୁ ଯଥାର୍ଥ ବୋଲି ସ୍ୱୀକାର କରିଛନ୍ତି । ଆଲୋଚନା ନେଇ ଆମେ ଷ୍ଟିୟରିଂ କମିଟି ବୈଠକରେ ଜଣାଇବୁ । ଷ୍ଟିୟରିଂ କମିଟି ନିଷ୍ପତ ଅନୁସାରେ ଆମେ ଚୂଡ଼ାନ୍ତ ପଦକ୍ଷେପ ନେବ ।
ଉଲ୍ଲେଖନୀୟ ଯେ ରବିବାର ଦିନ ରାଜ୍ୟ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଆସନ୍ତା ୧୦ ତାରିଖରୁ ଅନିର୍ଦିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ ହେବ ବୋଲି ସୂଚନା ଦିଆଯାଇଥିଲା । ଏହି ସମୟରେ କୌଣସି ଘରୋଇ ଯାତ୍ରୀବାହୀ ବସ୍ ଚଳାଚଳ କରିବ ନାହିଁ ବୋଲି କୁହା ଯାଇଥିଲା । ସଂଘ ପକ୍ଷରୁ କୁହା ଯାଇଥିଲା ଯେ ୨୭ତାରିଖରେ ମଧ୍ୟ ବୈଠକରେ ବନ୍ଦ କରିବାକୁ ନେଇ ନିଷ୍ପତି ନେଇଥିଲେ । ହେଲେ ସରକାର ଆଲୋଚନାକୁ ଡାକିଲେ ନାହିଁ କି ଦିଆଯାଇଥିବା ସ୍ମାରକ ପତ୍ର ମୁତାବକ କୌଣସି ଦାବି ସରକାର ମାନିଲେ ନାହିଁ । ତେଣୁ ଦାବି ପୁରଣ ନହେବା ପର୍ଯ୍ୟନ୍ତ ସ୍କୁଲ, କଲେଜ, ଟୁର ଟ୍ରାଭେଲ ବସ ସହ ଘରୋଇ ବସ ବନ୍ଦ ରହିବ ବୋଲି ସେ ସ୍ପଷ୍ଟ କରିଥିଲେ ।