ବରଗଡ଼ : ମଣିପୁରରେ ସହିଦ୍ ହୋଇଥିବା ଓଡ଼ିଆ ଯବାନ ନୀଳାଚଳ ପଟେଲଙ୍କ ପାର୍ଥିବ ଶରୀର ଆଜି ତାଙ୍କ ପୈତୃକ ଗାଁ ବରଗଡ଼ ଜିଲ୍ଲାର ଭେଡ଼େନ ବ୍ଲକ ଅନ୍ତର୍ଗତ ବାଘପାଲି ଗ୍ରାମରେ ପହଞ୍ଚିଛି । ଆଉ କିଛି ସମୟ ପରେ ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।
ଆଜି ସକାଳେ ସହିଦ୍ ନୀଳାଚଳଙ୍କ ମରଶରୀର ବରଗଡ଼ରେ ପହଂଚିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହାପରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯିବା ପରେ ପୈତୃକ ଗ୍ରାମ ବାଘପାଲିରେ ପହଂଚିଥିଲା । ସହିଦ୍ ଯବାନଙ୍କ ପାର୍ଥିବ ଶରୀର ଗାଁରେ ପହଂଚିବା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ସହିଦଙ୍କ ଶେଷ ଦର୍ଶନ କରିଥିଲେ ହଜାର ହଜାର ସଂଖ୍ୟାରେ ଲୋକ । ସମସ୍ତଙ୍କ ଆଖିରେ ଲୁହ, ଆଉ ଛାତିରେ ବୀର ଯବାନଙ୍କୁ ହରାଇବାର କୋହ । ବୀର ଯବାନ ଅମର ରହେ, ସହିଦ୍ ଯବାନ ଅମର ରହେ, ଭାରତ ମାତା କି ଜୟ ଧ୍ଵନୀରେ ଗାଁ ଦାଣ୍ଡ କମ୍ପି ଉଠିଥିଲା ।
ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ଅନ୍ତର୍ଗତ ବାଘପାଲି ଗ୍ରାମର ଏହି ଯବାନ ଜଣକ ଡ୍ୟୁଟିରେ ଥିବା ସମୟରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ସେ ଅନ୍ୟ ଯବାନ ମାନଙ୍କ ସହିତ ପାଟ୍ରୋଲିଂରେ ଥିବାବେଳେ ବାଟରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।
ନୀଳାଚଳ ୨୦୦୦ ମସିହାରେ ଆସାମ ରାଇଫଲ୍ସରେ ଯୋଗଦେଇଥିଲେ । ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ ରେ ସେ କାର୍ଯ୍ୟରୁ ଅବସର ନେଇଥାନ୍ତେ । ଘରେ ତାଙ୍କର ବୃଦ୍ଧା ମା, ପତ୍ନୀ ରାସେଶ୍ଵରୀ ପଟେଲ, ଦୁଇ ଝିଅଙ୍କ ସହିତ ବଡ ଭାଇ ନୀଳାମ୍ବର ପଟେଲ ଓ ଭାଉଜ ମଞ୍ଜୁଲତା ପଟେଲ ଅଛନ୍ତି । ପରିବାର ଲୋକେ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି । ଆଉ କିଛି ସମୟ ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।