ଭୁବନେଶ୍ୱର : କ୍ଷେତ ମୂଲିଆମାନଙ୍କ ପାଇଁ କେନ୍ଦ୍ରୀୟ ଆଇନ ପ୍ରଣୟନ, ରାଜ୍ୟରେ ସ୍ୱତନ୍ତ୍ର ମଙ୍ଗଳ ପାଣ୍ଠି ଓ କଲ୍ୟାଣ ବୋର୍ଡ ଗଠନ, ଦଖଲ ଓ ବସବାସ କରି ରହିଥିବା ଘରଡିହ ଓ ଚାଷଜମିର ପଟ୍ଟା ପ୍ରଦାନ, ଏମ୍ନରେଗାରେ ସର୍ବନିମ୍ନ ୨୦୦ ଦିନର କାମ ଓ ୭୦୦ ଟଙ୍କା ମଜୁରି ପ୍ରଦାନ, ୫୫ ବର୍ଷରେ ମାସିକ ୫ହଜାର ଟଙ୍କା ପେନସନ, କ୍ଷେତ ମୂଲିଆ ପରିବାରର ବିଧବା ଓ ମହିଳାଙ୍କୁ ମାସିକ ୩ ହଜାର ଟଙ୍କା ଭତା ପ୍ରଭୃତି ଦାବିରେ ଭାରତୀୟ କ୍ଷେତ ମଜଦୁର ୟୁନିୟନ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆଜିଠାରୁ ରାଜ୍ୟ ବ୍ୟାପୀ ପଦଯାତ୍ରା ଓ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି ।
ଏହି ଉପଲକ୍ଷେ ସୋମବାର ପୂର୍ବାହ୍ନରେ ଭୁବନେଶ୍ୱର ମହାନଗର ନିଗମ ନିକଟସ୍ଥ ନୂଆବନ୍ତ ଗ୍ରାମ କଲ୍ୟାଣପୁର ପଞ୍ଚାୟତଠାରୁ ବିକେଏମ୍ୟୁର ରାଜ୍ୟ ସହସମ୍ପାଦକ ଶଙ୍କର ବାରିକଙ୍କ ନେତୃତ୍ୱରେ ମହିଳା ଓ ପୁରୁଷଙ୍କ ସମେତ ଶତାଧିକ ପଦଯାତ୍ରାକାରୀ ବାହାରି ବିଭିନ୍ନ ଗ୍ରାମ ପରିକ୍ରମା କରିବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲିଖିତ ସ୍ମାରକପତ୍ରରେ ଦସ୍ତଖତ ସଂଗ୍ରହ କରିବା ପରେ ଟାଙ୍ଗିବନ୍ତସ୍ଥିତ ରାମକୃଷ୍ଣ ପତି ଭବନ ନିକଟରେ ପହଂଚିଥିଲେ ।
ବିକେଏମ୍ୟୁର ରାଜ୍ୟ ସମ୍ପାଦକ ସୁର ଜେନା ଏକ ବିବୃତିରେ ଏହି ପଦଯାତ୍ରା ଓ ଦସ୍ତଖତ ସଂଗ୍ରହ ଅଭିଯାନ ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇ ଅକ୍ଟୋବର ମାସ ବ୍ୟାପୀ ଚାଲିବ ଏବଂ ନଭେମ୍ବର ପ୍ରଥମ ସପ୍ତାହରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଓଡ଼ିଶାର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି ।