ଭୁବନେଶ୍ୱର : ଡାଲି ଦୁର୍ନୀତିରେ ଲିପ୍ତ କଳଙ୍କିତ ବାଚସ୍ପତିଙ୍କ ଇସ୍ତଫା ଦାବୀରେ ଓ ବିଧାନସଭାରେ ଆକ୍ରୋଶ ମୂଳକ ଭାବେ ଦୁଇଜଣ ବିଜେପି ବିଧାୟକଙ୍କୁ ବହିଷ୍କାର ଏବଂ ବିରୋଧୀ ଦଳ ନେତାଙ୍କ ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟ ଦେବା ପ୍ରତିବାଦରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ମାଷ୍ଟରକ୍ୟାଂଟିନ ଛକରେ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି କର୍ମକର୍ତାମାନେ ରାସ୍ତାରେ ଲୋକଙ୍କୁ ଡାଲି ବାଂଟିବା ସହ ମୁଖ୍ୟମନ୍ତ୍ରୀ , ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ବାଚସ୍ପତିଙ୍କ କୁଶ ପୁତଳିକା ଦାହ କରିଥିଲେ ।
ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି ଯେ ଓଡ଼ିଶାରୁ ଲୋକ ମତ ହରାଇବା ଦେଖି ବିଳି ବିଳାଉଛି ବିଜୁ ଜନତା ଦଳ । ଓଡ଼ିଶାର ସବୁଠାରୁ ବଡ଼ ଦୁର୍ନୀତି ହେଉଛି ଡାଲି ଦୁର୍ନୀତି ଯେଉଁଥିରେ କି ସେତେବେଳର ମନ୍ତ୍ରୀ ତଥା ବର୍ତମାନର ବାଚସ୍ପତି ଇସ୍ତଫା ଦେଇଥିଲେ । ଡାଲି ଖାଇଲେ ଚଳିବ, ଡାଲି ଦୁର୍ନୀତି କଲେ ଚଳିବ କିନ୍ତୁ ଡାଲି ଦେଖିଲେ ଭୟଭୀତ ହେଉଛନ୍ତି ବାଚସ୍ପତି । “ ଡାଲି ଦୁର୍ନୀତି” କହିଲେ କି ଡାଲି ଦେଖିଲେ ଆଜି ଶାସକ ଦଳର ମନ୍ତ୍ରୀ, ବିଧାୟକ ଏବଂ ନେତାଙ୍କୁ ଭୟ ଲାଗୁଛି । ତେଣୁ ଡାଲି ଦୁର୍ନୀତିରେ ଲିପ୍ତ କଳଙ୍କିତ ବାଚସ୍ପତିଙ୍କ ଇସ୍ତଫା ଆମେ ଦାବି କରୁଛୁ । ଏତେବଡ଼ ସାମ୍ବିଧାନିକ ପଦବୀରେ କିଭଳି ଦୁର୍ନୀତି ରେ ଲିପ୍ତ ହୋଇ ଇସ୍ତପା ଦେଇଥିବା ମନ୍ତ୍ରୀ ମହୋଦୟାଙ୍କୁ ବସା ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ସିଂ କହିଛନ୍ତି ଯେ, “ଡାଲି” ଦେଖିକି ବାଚସ୍ପତି ମହୋଦୟା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଧାୟକ ଡ.ମୁକେଶ ମହାଲିଙ୍ଗଙ୍କୁ ପବିତ୍ର ବିଧାନସଭାରୁ ନିଲମ୍ବିତ କରିଛନ୍ତି, ଏହା ଆଜି ପଯ୍ୟନ୍ତ ଓଡ଼ିଶା ବିଧନସଭାରେ ଏକ ବିରଳ ଘଟଣା । ଓଡ଼ିଶାରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ଶାସକ ଦଳର ନେତାମାନେ ଡିଣ୍ଡିମ ପିଟୁଛନ୍ତି, ତାହାଲେ ବିରୋଧୀ ଦଳ ପ୍ରଶ୍ନରେ ଉତର ନଦେଇ କାହିଁକି ପଳାୟନ କରୁଛନ୍ତି?
ବିଭିନ୍ନ ଅଭିଯୋଗରେ ସଂପୃକ୍ତ ଥିବା ଶାସକ ବିଜେଡି ଦଳର ଦୋଷୀ ଓ ଆରୋପୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଏତେ ଅନୁକମ୍ପା କାହିଁକି ବୋଲି ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି କହିଛନ୍ତି । ରାଜ୍ୟରେ ପ୍ରକୃତରେ ଶାସନ କିଏ କରୁଛି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ବୋଲି ଓଡ଼ିଶା ବାସୀ ପ୍ରଶ୍ନ କଲେଣି । ଅଣ ଓଡ଼ିଆ ଅଫିସର୍ ଏଠି ତାମିଲ ଶାସନ ଚଲେଇଛନ୍ତି । ଏକଛତ୍ରବାଦି ଶାସନ ରେ ଓଡ଼ିଶାର ଗଣତନ୍ତ୍ର ଆଜି ନିଜର ଅସ୍ତିତ୍ୱ ହରାଇଛି ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି ।
ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ ରେ ବିଜେପି ନେତା ହିମାଂଶୁ ଶେଖର ଛୋଟରାୟ, ରାମଚନ୍ଦ୍ର ରଣସିଂ ଦିଲ୍ଲୀପ ବେହେରା, ରାଜେନ୍ଦ୍ର ଦାସ,ଉପେନ୍ଦ୍ର ଭଞ୍ଜ, ସ୍ୱଂୟ ସେବକ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।