ଭୁବନେଶ୍ୱର : ନବୀନ ସରକାରର ୨୩ ବର୍ଷର ନିରଙ୍କୁଶ ଶାସନରେ ଓଡ଼ିଶାର ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟର ସର୍ବପୁରାତନ ଓ ବ୍ୟସ୍ତବହୁଳ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ବିଜୁଳି ସମସ୍ୟା ପରେ ପାଣି ସମସ୍ୟା ଦେଖାଦେଇଛି । କେନ୍ଦ୍ର ସରକାର ଜଳ ଜୀବନ ମିଶନରେ ସମସ୍ତଙ୍କୁ ପାଣି ଯୋଗାଉଥିବାବେଳେ ମେଡିକାଲ କଲେଜରେ ପାଣି ଟୋପେ ପାଇଁ ଡହଳ ବିକଳ ହେବାକୁ ପଡୁଛି । ଓଡ଼ିଶାରେ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ନବୀନ ବାବୁ ତତ୍ପରତା ବୋଲି ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନେ ଡିଣ୍ଡିମ ପିଟୁଛନ୍ତି । ପାଣି ନାହିଁ, ବିଜୁଳି ନାହିଁ ଏମିତି ବିଶ୍ୱସ୍ତରୀୟ ମେଡିକାଲ କଲେଜ ଆମର ଦରକାର ନାହିଁ ବୋଲି ଓଡ଼ିଶାବାସୀଙ୍କ ପକ୍ଷରୁ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ।
ମହାପାତ୍ର କହିଛନ୍ତି ଯେ, ଆଜି ଏସ୍ସିବି ଆଖିରେ ଲୁହ । ଦୁଇ ଦିନ ହେଲା ମେଡିସିନ, ନିଦାନ, ପୋଷ୍ଟମଂଟମ ବିଭାଗରେ ବିଦ୍ୟୁତ ନାହିଁ । ଗତକାଲିଠୁଁ ପାଣି ମଧ୍ୟ ନାହିଁ । ରାଜ୍ୟରେ ଶାସନ ବ୍ୟବସ୍ଥା କେଉଁଠି ଅଛି? ଉପାନ୍ତ ଅଚଂଳରେ କ୍ୟାଣ୍ଡେଲ ଲାଇଟରେ ଉପଚାର କଥା ଦେଖୁଥୁଲୁ । ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା କଣ ତାହା ଏସ୍ସିବି ଜଣାଇ ଦେଉଛି । ଯଦି ନୈତିକତା ଅଛି ତାହାଲେ ସ୍ୱାସ୍ଥ୍ୟ ଓ ଶକ୍ତିମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ଓ ଏସ୍ସିବିରେ ଉପୁଜିଥିବା ଏଭଳି ଦୟନୀୟ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜବାବ୍ ରଖନ୍ତୁ ବୋଲି ମହାପାତ୍ର ଦାବି କରିଛନ୍ତି ।
ଯେବେଠୁ ଓଡ଼ିଶାରେ ଅଣଓଡ଼ିଆ କବଜାରେ ଶାସନ ଚାଲିଛି, ସେବେଠାରୁ ରାଜ୍ୟରେ ଏଭଳି ଅବସ୍ଥା । ଶାସକ ଦଳର ବିଧାୟକ, ନେତାମାନେ ସଚିବଙ୍କ ଗସ୍ତ ପାଇଁ ମଂଚ ବାନ୍ଧିବା, ଚେୟାର ପକାଇବା କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲିକେପ୍ଟରରେ ବୁଲି ବୁଲି ଓଡ଼ିିଶାବାସୀଙ୍କୁ ଭାଷଣ ମାଧ୍ୟମରେ ଭୂଆଁ ବୁଲାଉଛନ୍ତି । ସବୁ ଦେଖି, ଶୁଣିବି ମୁଖ୍ୟମନ୍ତ୍ରୀ ନିଦାବିଷ୍ଣୁ ହୋଇଛନ୍ତି । ୨୩ବର୍ଷ ନବୀନ ଶାସନରେ ରାଜ୍ୟର ଅବ୍ୟବସ୍ଥା କାୟା ବିସ୍ତାର କରିଛି, ଯାହା ଗଣତନ୍ତ୍ର ପ୍ରତି ବିପଦ ବୋଲି ମହାପାତ୍ର କହିଛନ୍ତି ।
ଶାସକ ଦଳର ମନ୍ତ୍ରୀ, ବିଧାୟକ, ନେତାମାନେ ନୀତି ଓ ନୈତିକତାର ପାଠ ପଢ଼ାଉଛନ୍ତି । ଗତ ୨ଦିନ ଧରି ଏସ୍ସିବିରେ ବିଦ୍ୟୁତ ନାହିଁ, ମୁଖ୍ୟମନ୍ତ୍ରୀଙ୍କ ନୈତିକତା କୁଆଡେ ଗଲା? ଏସ୍ସିବି ମେଡିକାଲର ଆଜିକାର ପରିସ୍ଥିତି ଓଡ଼ିଶାବାସୀଙ୍କୁ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସତର୍କ କରିଦେଇଛି । ପ୍ରଶ୍ନ ପଚାରିଲେ, ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଜନବିରୋଧୀ କହୁଛନ୍ତି । ତାହେଲେ ଏହା କଣ ଜନବିରୋଧୀ ନୁହେଁ ? ମୁଖ୍ୟମନ୍ତ୍ରୀ ଯଦି ଓଡ଼ିଶାର ଲୋକଙ୍କ ସମସ୍ୟା ବୁଝିବାରେ ଅକ୍ଷମ ତାହାଲେ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ମହାପାତ୍ର ଦାବି କରିଛନ୍ତି ।