ଭୁବନେଶ୍ୱର : ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ବିଜେପି ଉପସଭାପତି ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଘଟଣା ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ।
୨ମାସ ତଳେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଗୋକନ ଗାଁର ପ୍ରମୋଦ ଦାସଙ୍କ ନାବାଳିକା ଝିଅ ସ୍ୱର୍ଣ୍ଣଲତା ଦାସ(୧୫)ଙ୍କ ମୃତ୍ୟୁ ହୋଇଥିଲା । ମୃତ ଶରୀରକୁ ଆଇନ ସମ୍ମତ ପୋଷ୍ଟମଂଟମ ନକରି ପୋଡି ଦେଇ ରଫାଦଫା କରି ଦିଆଗଲା । ଏହି ନାବାଳିକାର କେମିତି ମୃତ୍ୟୁ ହେଲା ସେ ନେଇ ମଧ୍ୟ ପୋଲିସ କୌଣସି ତଦାଘନା କରିଲାନାହିଁ । ମୃତ ନାବାଳିକାର ସେହି ସ୍କୁଲର ଖେଳ ଶିକ୍ଷକଙ୍କ ସହ ଥିବା ସଂପର୍କକୁ ଝିଅର ପରିବାର ବିରୋଧ କରିଥିଲେ ଏବଂ କିଛି ଦିନ ପରେ ହଠାତ୍ ସେହି ଝିଅର ମୃତ୍ୟୁ ହୋଇଥିଲା । ଝିଅର ମୃତ୍ୟୁ ସଂପର୍କରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜଣକ ତାଙ୍କ ସ୍ୱାମୀ ଯିଏକି ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏବଂ ବର୍ତମାନ ଉକ୍ତ ବିଦ୍ୟାଳୟର ସଂପାଦକ ଶରତ ନାୟକଙ୍କୁ ଅବଗତ କରାଇଥିଲେ । ମାମଲାକୁ ରଫାଦଫା କରିବାକୁ ଯାଇ ଶ୍ରୀ ନାୟକ ପୋଲିସ, ଗଣମାଧ୍ୟମ, ମଣ୍ଡଳ ଅଧିକାରୀଙ୍କୁ ପ୍ରଭାବିତ କରି ବିନା ମୃତ ନାବାଳିକା ଝିଅର ଶବକୁ ପୋଷ୍ଟମର୍ଟମ ନକରି ଜନସାଧାରଣଙ୍କ ଅଜ୍ଞାତରେ ଶବଦାହ କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ସମସ୍ତ ତଥ୍ୟ ଓ ପ୍ରମାଣ ନଦୀରେ ଭସାଇ ଦେଇଥିଲେ । ଏହା ପରେ ଶ୍ରୀ ନାୟକ ମୁଖ୍ୟ ଅଭିଯୁକ୍ତ ଉକ୍ତ ଖେଳ ଶିକ୍ଷକଙ୍କ ମା’ଙ୍କୁ ଫୋନ କରି ଖର୍ଚ୍ଚ ବାବଦରେ ୭୦ ହଜାର ଟଙ୍କା ଦାବୀ କରିଥିଲେ । ଏହି ବାର୍ତାଳପର ଏକ ଅଡିଓ କ୍ଲିପ ଘଟଣାର ୨ ମାସ ପରେ ସାର୍ବଜନୀନ ହେବା ପରେ ଏ ସମସ୍ତ ଘଟଣା ବର୍ତମାନ ସାମ୍ନାକୁ ଆସିଛି । ଅପମୃତ୍ୟୁ ହୋଇଥିବା ନାବାଳିକା ଝିଅର ବିନା ପୋଷ୍ଟମର୍ଟମରେ ଶବସତ୍କାର କରାଯିବା ସଂପୂର୍ଣ୍ଣ ବେଆଇନ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।