ଭୁବନେଶ୍ୱର : – ପ୍ରଶାନ୍ତ ଜଗଦେବ ଯିଏ କି ମାତାଲ ଅବସ୍ଥାରେ ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇ ମାରିବାକୁ ଉଦ୍ୟମ କରିବା ସହ ୨ଟି ଅପରାଧିକ ମାମଲାରେ ଜେଲ ଯାଇଥିଲେ ଏବଂ ଯାହାଙ୍କ ବିରୁଦ୍ଧରେ ଓଡିଶା ବିଜେପିର ନେତା ଓ କର୍ମୀ ଗଳାଫଟାଇ ଚିତ୍କାର କରୁଥିଲେ, ଆଜି କିଭଳି ତାଙ୍କ ଗଳାରେ ଦଳୀୟ ଉତରୀୟ ପକାଇ ସ୍ୱାଗତ କଲେ ବୋଲି ପ୍ରଶ୍ନ କରିଛି ବିଜେଡି । ଯେଉଁ ଓଡିଶା ବିଜେପିର କର୍ମୀଙ୍କୁ ଗଳା ଧକ୍କା ମାରି ପ୍ରଶାନ୍ତ ଜଗଦେବ ଲହୁଲୁହାଣ କରିଥିଲେ ବୋଲି ଦଳୀୟ ନେତା ଓ କର୍ମୀ ପ୍ରତିବାଦ କରୁଥିଲେ, ଆଜି କିଭଳି ତାଙ୍କ ପିଠି ଥାପୁଡାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍ ମହାନ୍ତି ।

ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ମହାନ୍ତି କହିଛନ୍ତି ଯେ ଉଭୟ ଅପରାଧିକ କାର୍ଯ୍ୟକଳାପକୁ ବେଶ ଗୁରୁତ୍ୱର ସହ ଗ୍ରହଣ କରି ବିଜୁ ଜନତା ଦଳ ପ୍ରଶାନ୍ତ ଜଗଦେବଙ୍କୁ ଦଳରୁ ନିଲମ୍ବନ କରିବା ସହ ବହିଷ୍କାର ମଧ୍ୟ କରିଥିଲା । ଜନବିରୋଧୀ କାର୍ଯ୍ୟ ପାଇଁ ଯାହାଙ୍କୁ ବିଜେଡି ଦଳରୁ ବାହାରର ରାସ୍ତା ଦେଖାଉଛି ସେମାନଙ୍କୁ ଓଡିଶା ବିଜେପି ସାଦରରେ ଗ୍ରହଣ କରିନେଉଛି ।
ଏବେ ଓଡିଶା ବିଜେପି ନେତା ଖାସ କରି ପୃଥୀରାଜ ହରିଚନ୍ଦନ ଓ ଅନ୍ୟ ମାନେ ଯିଏ ପ୍ରଶାନ୍ତ ଜଗଦେବଙ୍କ ବିରୁଦ୍ଧରେ ବିଷ ବାନ୍ତି କରୁଥିଲେ, ସେମାନେ ନିଜ କର୍ମୀଙ୍କୁ କଣ ଉତର ଦେବେ?ନୂଆ ନେତା ସୃଷ୍ଟି କରିବାକୁ ଓଡିଶା ବିଜେପି ଯେହେତୁ ଅସମର୍ଥ ସେଥିପାଇଁ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଗୁଣ୍ଡା, ବଦମାସ, ଅପରାଧିକ, ଜନବିରୋଧୀ ଓ ତଡାଖିଆ ଶ୍ରେଣୀର ଲୋକଙ୍କୁ ଭରସା କରିବା ଆରମ୍ଭ କରିଛି ବୋଲି ଡକ୍ଟର ମହାନ୍ତି କହିଛନ୍ତି ।