-ମରଣଯନ୍ତା ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ
-ବାଜିରେ ଲାଗିଛି ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଲୋକଙ୍କ ଜୀବନ
-ଆଉ କେତେ ମୁଣ୍ଡ ଗଡ଼ିଲେ ଚେତିବେ ଧର୍ମେନ୍ଦ୍ର ?
-ଏଥର ଉପଯୁକ୍ତ ଜବାବ ଦେବେ ରାଜ୍ୟବାସୀ
ଅନୁଗୁଳ, ୨୭/୪: ଅନୁଗୁଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ଏଠି ନିତି ଦୁର୍ଘଟଣା ହେଉଥିଲାବେଳେ ଆଜି ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ନିରୀହ ଲୋକଙ୍କ ଜୀବନ ଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଢ଼ୁଥିବା ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଏହି ଦୁର୍ଘଟଣା ଘଟିଥିଲାବେଳେ ଧର୍ମେନ୍ଦ୍ର ଏଥିପାଇଁ କାହାକୁ ଦାୟୀ କରିବେ ବୋଲି ପ୍ରଶ୍ନ କରିଛି ବିଜେଡି। ଏହାସହିତ ଧର୍ମେନ୍ଦ୍ର ଶବ ଉପରେ ରାଜନୀତି କରୁଥିବା କହି ଏହାର ଜବାବ ଏଥର ରାଜ୍ୟବାସୀ ଦେବେ ବୋଲି ବିଜେଡି ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି।

ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲାରେ ହୋଇଥିବା ଦୁର୍ଘଟଣାରେ ଛେଣ୍ଡିପଦା ବିଧାନସଭା କ୍ଷେତ୍ର ଅଧୀନରେ ଥିବା ଡେରେଜାଙ୍ଗ ଗାଁର ୩ ଜଣଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ପାଇଁ ଏହି ଦୁର୍ଘଟଣା ଘଟିଥିବା ବିଜେଡି କହିଛି। କେନ୍ଦ୍ର ସରକାର ଦେଶର ବିକାଶ କରୁଥିବା କହୁଥିଲାବେଳେ ୫୫ ନମ୍ବର ଜାତୀୟ ରାଜପଥ କାମ ସାରି ନପାରିବା କେଉଁ ପ୍ରକାର ବିକାଶ ବୋଲି ଦଳ ପକ୍ଷରୁ କୁହାଯାଇଛି। ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା କହିଛନ୍ତି, ଧର୍ମେନ୍ଦ୍ର ଏ ମାଟିର ପୁଅ। କିନ୍ତୁ ନିଜ ମାଟି ପାଇଁ କ’ଣ କରିଛନ୍ତି ତାହା ଏହି ଜାତୀୟ ରାଜପଥ ତାହାର ପ୍ରମାଣ ଦେଉଛି। ଧର୍ମେନ୍ଦ୍ର ଚାହିଁଥିଲେ ଏହି ରାସ୍ତା କେବେଠାରୁ ଶେଷ ହୋଇସାରନ୍ତାଣି। କିନ୍ତୁ ଅନୁଗୁଳ, ସମ୍ବଲପୁର ଓ ଢେଙ୍କାନାଳ ଲୋକଙ୍କ ସମସ୍ୟା ତାଙ୍କ ଆଖିକୁ ଦିଶୁନି। ଏହାର ଜବାବ ଲୋକେ ନିଶ୍ଚିତ ଦେବେ ବୋଲି ସେ କହିଛନ୍ତି।
ବିଜେଡି ନେତା କୁନ ବିହାରୀ ଦାସ କହିଛନ୍ତି ଯେ, ଏଠାରେ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ୁଛନ୍ତି। କିନ୍ତୁ ଲୋକେ ବାରମ୍ବାର ଦାବି କେମିତି ତାଙ୍କୁ ଶୁଭୁନି ତାହା ଆଶ୍ଚର୍ଯ୍ୟ କରୁଛି। କେନ୍ଦ୍ରମନ୍ତ୍ରୀ ଏହି ରାସ୍ତାର ଦାୟିତ୍ବ ନିଜ ମୁଣ୍ଡକୁ ନେବା କଥା। କିନ୍ତୁ ସେ ହାତ ଝାଡ଼ି ଦେଇଥିବାରୁ ନିଜେ ଜାତୀୟ ରାଜପଥରେ ଫସି ରହୁଛନ୍ତି। ଶୋଚନୀୟ ରାସ୍ତା ପାଇଁ ଅକାଳରେ ଜୀବନ ହାରୁଥିବା ଲୋକଙ୍କ ମୃତ୍ୟୁ ପାଇଁ କେନ୍ଦ୍ରମନ୍ତ୍ରୀ ନିଜେ ନୈତିକ ଦାୟିତ୍ବ ନିଅନ୍ତୁ ବୋଲି ସେ ଆହ୍ବାନ ଦେବା ସହ ଆଉ କେତେ ମୁଣ୍ଡ ଗଡ଼ିଲେ ଧର୍ମେନ୍ଦ୍ର ଚେତିବେ ବୋଲି ପ୍ରଶ୍ନ କହିଛନ୍ତି। ଏହାସହିତ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଜାତୀୟ ରାଜପଥକୁ ଓଡ଼ିଶା ସରକାରଙ୍କ ବିଜୁ ଏକ୍ସପ୍ରେସ୍ ୱେ ସହ ତୁଳନା କରିଛନ୍ତି। ଅପରପକ୍ଷରେ ରାସ୍ତା ଅବସ୍ଥା ପାଇଁ ବିଜେଡି ନେତ୍ରୀ ସଂଯୁକ୍ତା ସିଂହ ସିଧାସଳଖ ଧର୍ମେନ୍ଦ୍ରଙ୍କୁ ଦାୟୀ କରିଛନ୍ତି। ୧୦ ବର୍ଷ ହେଲା କାମ ଚାଲୁଥିଲେ ମଧ୍ୟ କାହିଁକି ସରିପାରୁନି ତା’ର ଉତ୍ତର ଜନସାଧାରଣଙ୍କୁ ଦେବା ଦରକାର। ନ ହେଲେ ଲୋକେ ଏହି ନିର୍ବାଚନରେ ନିଜ ଉତ୍ତର ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି।