ବଲାଙ୍ଗିର : ଆଜି ବଲାଙ୍ଗୀର ବିଧାନସଭା ନିର୍ବାଚନମଣ୍ଡଳିର ବିଜୁ ଜନତାଦଳ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ ସହରରେ ଏକ ବିଶାଳ ଶୋଭାଯାତ୍ରା କରାଯାଇ କୋସଳ କଳାମଣ୍ଡଳ ପଡିଆଠାରେ ୫ ହଜାରରୁ ଉର୍ଦ୍ଧ୍ଵ ମହିଳା/ପୁରୁଷଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗତ ଅକ୍ଟୋବର ୨ ତାରିଖରୁ ବିଜେଡି ପକ୍ଷରୁ ଚାଲିଥିବା ଜନସଂମ୍ପର୍କ ପଦଯାତ୍ରା କରାଯାଇ କର୍ମୀଙ୍କୁ ଯୋଡା ଯାଇଥିବା ବେଳେ ଆଜିର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ବଲାଙ୍ଗୀର ରାଜପରିବାରର ଶକ୍ତିପ୍ରଦର୍ଶନ ବୋଲି କୁହାଯାଉଛି । ଆଉ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଘଟଣା ହେଲା, ଗତ ଗୋଟିଏ ବର୍ଷ ଧରି ନିର୍ବାଚନମଣ୍ଡଳୀରୁ ଦୂରେଇ ରହୁଥିବା ଅର୍କେଶ ନାରାୟଣ ସିଂଦେଓ ଆଜି ଶିଶୁଉଦ୍ୟାନର ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ପଦଯାତ୍ରା ଆରମ୍ଭ କରିଥିଲେ । ବିଜେଡିର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ, ପୂର୍ବତନ ସାଂସଦ ତଥା କଳିକେଶ ନାରାୟଣ ସିଂଦେଓ ସ୍ଥାନୀୟ ବିଜୁପଟ୍ଟନାୟକ ଶିଶୁଉଦ୍ୟାନରୁ ଶୋଭାଯାତ୍ରା ଆରମ୍ଭ କରିଥିଲେ । ଶୋଭାଯାତ୍ରା କୋସଳ କଳା ମଣ୍ଡଳ ପଡିଆଠାରେ ପହଞ୍ଚି ଥିଲା । ସେଠାରେ ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତିଙ୍କ ସଭାପତିତ୍ଵ ଓ ପୂର୍ବତନ କାର୍ଯ୍ୟକାରୀ ସଭାପତି ଭବାନୀଶଙ୍କର ହୋତାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲାଙ୍ଗୀର ବିଜେଡି ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂ ମୁଖ୍ୟଅତିଥି, ବରେଣ୍ୟ ଅତିଥି ଭାବରେ ବରିଷ୍ଠ ନେତା ଅନଙ୍ଗଉଦୟ ସିଂଦେଓ, ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ, ଯୁବନେତା ଅର୍କେଶନାରାୟଣ ସିଂଦେଓ, ମହିଳା ନେତ୍ରୀ ଦମୟନ୍ତି ବାଗ, ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ବରିଷ୍ଠ ନେତା ଲକ୍ଷ୍ମଣ କୁମାର ମେହେର, ପ୍ରଦ୍ୟୁତ ମିଶ୍ର, କୈଳାଶ ମହାନ୍ତି, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ବଲାଙ୍ଗୀର ସଦର ବ୍ଲକ ଅଧ୍ୟକ୍ଷ ସରିତା ବାଗ, ପୂର୍ବତନ ଅଧ୍ୟକ୍ଷ ଗୋଲାପ ବାଗ, ଯୁବବିଜେଡି ସଭାପତି ରାଜେନ୍ଦ୍ର ହୋତା, ଛାତ୍ରବିଜେଡିର ସୁମନ ନନ୍ଦ, ଦେଓଗାଁ ବ୍ଲକ ସଭାପତି ସୁଶୀଳ ଚାନ୍ଦ, ବଲାଙ୍ଗୀର ସଦରବ୍ଲକ ସଭାପତି ନୀହାର ବେହେରା, ବଲାଙ୍ଗୀର ନଗର ସଭାପତି ଶମ୍ଭୁ ନାଗ, ଜିଲ୍ଲା କୃଷକ ସଭାପତି ଅଜୟ ଦାସ, ପାଟଣାଗଡର ଯୁବନେତା ଶିବାନନ୍ଦ ପରିଚ୍ଛା, ମୁରିବାହାଲର ହଂସରାଜ ଜୈନ, କଣ୍ଟାବାଞ୍ଜିର ଗିରିରାଜ ସିଂମାଝୀ, ଉଦ୍ଧବ ବେହେରା, ଅଜିତ ଯୋଷୀ, ପୁଇଁତଳା ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ, ଲୋଇସିଂହାର ନବକିଶୋର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ସଭାରେ ମୁଖ୍ୟଅତିଥି ସୁଶାନ୍ତ ସିଂ, ବିଜୁଜନତା ଦଳ ଗଠନ ସମୟରେ ଅନଙ୍ଗଉଦୟଙ୍କ ଭୂମିକା ଓ ମୁଖ୍ୟମନ୍ତ୍ରୀ ନବୀନଙ୍କ ସାଙ୍ଗରେ ତାଙ୍କର ସମ୍ପର୍କ ବିଷୟରେ କହିଥିଲେ ଓ ବିଜେଡି ଅମଳରେ ରାଜ୍ୟ ତଥା ବଲାଙ୍ଗୀର ଜିଲ୍ଲାର ହୋଇଥିବା ବିକାଶ ପ୍ରକଲ୍ପ ଉପରେ କହିଥିଲେ । ଅନଙ୍ଗଉଦୟ ସିଂଦେଓ ତାଙ୍କ ବକ୍ତବ୍ୟରେ ନବୀନ ପଟ୍ଟନାୟକ ଅମଳରେ ହୋଇଥିବା ବିକାଶ ପ୍ରକଳ୍ପ ଉପରେ କହି ବିରୋଧି ଏଥିରେ କେବଳ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ । ସେହିପରି ଗତ ୯ବର୍ଷରେ ବଲାଙ୍ଗୀରକୁ ବିହାର ଭଳି ଅପରାଧିପ୍ରବଣ ଅଞ୍ଚଳ କିଏ କରୁଛି ଓ ଜମିମାଫିଆଙ୍କୁ ସହାୟତା କରୁଛି ଜନସାଧାରଣ ଅବଗତ ହେବା କଥା ବୋଲି କହି ବିରୋଧିପକ୍ଷଙ୍କୁ ଟାର୍ଗେଟ କରିଥିଲେ । ସେହିପରି ବରିଷ୍ଠନେତା ଲକ୍ଷ୍ମଣକୁମାର ମେହେର ତାଙ୍କ ବକ୍ତବ୍ୟରେ ସୋନଗଡ ନଦୀରେ ହୋଇଥିବା ୭ଟି ବ୍ରିଜ, ମଠମନ୍ଦିରର ବିକାଶ, ସ୍କୁଲ ଗୁଡିକର ରୂପାନ୍ତରିକରଣ, ରାସ୍ତା ଉନ୍ନତିକରଣ, ମେଡିକାଲ କଲେଜ, ଲୋୟର ସୁକତେଲର ଉଦାହରଣ ଦେଇ ନବୀନ ପଟ୍ଟନାୟକ ଓ ଅନଙ୍ଗଉଦୟ ସିଂଦେଓଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେ ବିରୋଧିଙ୍କୁ ଟାର୍ଗେଟ କରି କହିଲେ ଯେ, ବଲାଙ୍ଗୀର ବିଧାୟକ କେବଳ ରାଜ ପରିବାର, ବିଡିସିସି ବ୍ୟାଙ୍କ ଓ ଏବେ ପୌରପାଳିକା ବିରୋଧରେ କହି କହି ତାଙ୍କ ସମୟ ଅପଚୟ କରୁଛନ୍ତି । ସେ ବିକାଶ କେତେବେଳେ କଲେ ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ଅନ୍ୟ ବକ୍ତାଗଣ ମଧ୍ୟ ତାଙ୍କ ବକ୍ତବ୍ୟରେ ଆଗାମୀ ୨୦୨୪ ନିର୍ବାଚନରେ କଳିକେଶଙ୍କୁ ସାଂସଦ ଓ ଅର୍କେଶଙ୍କୁ ବିଧାୟକ ଭାବରେ ଜିଣାଇବାକୁ କର୍ମୀଙ୍କୁ ଉତ୍ସାହିତ କରିଥିଲେ ।
ଏହି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଗାୟକ କଳାକାର ଉମାକାନ୍ତ ବାରିକ ଓ ତାଙ୍କ ଟିମ ଦର୍ଶକଙ୍କୁ ନାଚ ଗୀତ କରି ମନୋରଂଜନ କରି ଥିଲେ ।