ନୂଆଦିଲ୍ଲୀ/ଭୁବନେଶ୍ୱର: – ଉପନିର୍ବାଚନ କଦାପି ରାଜନୀତି କିମ୍ବା ଶାସନ ପାଇଁ ମଡେଲ ନୁହେଁ । ବିଜୁ ଜନତା ଦଳ ପାଇଁ ଶାସନର ମଡେଲ ହେଉଛି ଓଡିଶାର ସାଢେ ୪କୋଟି ଲୋକଙ୍କର ସେବା କରିବା ସହିତ ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପନିର୍ବାଚନ ମଡେଲ ମନ୍ତବ୍ୟର ଜବାବରେ ନୂଆଦିଲ୍ଲୀ ଠାରେ ଗଣମାଧ୍ୟମକୁ କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି ।

ଶନିବାର ଦିନ କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ ଯେ ବିଜେଡିର ପଦ୍ମପୁର ମଡେଲ ଥିଲେ ବିଜେପିର ଧାମନଗର ମଡେଲ ଅଛି । ଏହାର ପ୍ରତିକ୍ରିୟାରେ ବିଜେଡି ସାଂସଦ ଡକ୍ଟର ପାତ୍ର କହିଛନ୍ତି ଯେ ଉପ-ନିର୍ବାଚନ କଦାପି ରାଜନୀତି କିମ୍ବା ଶାସନ ପାଇଁ ମଡେଲ ହୋଇପାରିବ ନାହିଁ । ବିଜୁ ଜନତା ଦଳ ପାଇଁ ଶାସନର ମଡେଲ ହେଉଛି ଓଡିଶାର ୪.୫ କୋଟି ଲୋକଙ୍କର ସେବା କରିବା । ବିଜେଡି ଉପରେ ଲୋକଙ୍କର ବିଶ୍ୱାସ ଓ ଭରସା ଥିବାରୁ ଓଡିଶାବାସୀଙ୍କ ପାଇଁ ଏହି ଦଳ ଭଲ କାମ କରୁଛି । ଗତ ୨୨ ବର୍ଷ ଧରି ଓଡିଶାରେ ନିର୍ବାଚନ ଜିତିବା ସତ୍ୱେ ଲୋକଙ୍କ ସେବା ପାଇଁ ବିଜେଡି ନିର୍ବାଚନରେ ବିଜୟକୁ ଓଡିଶାର ମଡେଲ କରିନାହିଁ । ଆମର ମଡେଲ୍ ହେଉଛି ଉତମ ପ୍ରଶାସନର ମଡେଲ ଏବଂ ୫-ଟି ଏବଂ ମୋ ସରକାର ଆଧାରରେ ଓଡିଶାକୁ ଭାରତର ଏକ ନମ୍ବର ରାଜ୍ୟରେ ପରିଣତ କରିବା । ଶାସନ ପାଇଁ କେନ୍ଦ୍ରମନ୍ତ୍ରୀ ଉପ-ନିର୍ବାଚନର ମଡେଲ ବ୍ୟବହାର କରନ୍ତୁ ନାହିଁ ବରଂ ଓଡିଶାର ଲୋକଙ୍କ ସେବା ପାଇଁ ଉତମ ଶାସନର ମଡେଲ ବ୍ୟବହାର କରିବାକୁ ଦିଅନ୍ତୁ ବୋଲି ଡକ୍ଟର ପାତ୍ର କହିଛନ୍ତି