ଭୁବନେଶ୍ୱର : ଓଡ଼ିଶାରେ ବିଗତ କିଛିବର୍ଷ ହେଲା ସାମ୍ବାଦିକ ମାନଙ୍କ ଉପରେ ଚାଲିଛି ଦମନରାଜ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ଉପରେ ଆକ୍ରମଣକୁ କଂଗ୍ରେସ କେବେହେଲେ ବରଦାସ୍ତ କରିବନାହିଁ । ଗଣତନ୍ତ୍ରକୁ ସଶକ୍ତ କରିବା ଜନସାଧାରଣଙ୍କ ଅଭାବ ଅସୁବିଧାକୁ ସରକାର ଏବଂ ସରକାରୀ ବ୍ୟବସ୍ଥାର ବିଭିନ୍ନ ଅଧିକାରୀ ମାନଙ୍କର ଧ୍ୟାନଆକର୍ଷଣ କରିବା ଏବଂ ଏହାର ସମାଧାନ ପାଇଁ ସରକାରଙ୍କୁ କଟୁ ସମାଲୋଚନା କରିବା ପ୍ରତ୍ୟେକ ସାମ୍ବାଦିକ ଏବଂ ଗଣମାଧ୍ୟମର ଧର୍ମ ଓ କର୍ତବ୍ୟ । ସାମ୍ବାଦିକମାନେ ସତ୍ୟ ଓ ଠିକ ସମ୍ବାଦ ପରିବେଷଣ କରିବେ ନାହିଁ ତ କ’ଣ କେବଳ ବିଜେଡ଼ି ସରକାରଙ୍କର ସମସ୍ତ କଳାକାରନାମାକୁ ଚପାଇ ଦେଇ କେବଳ ପ୍ରଶଂସା ବା ଗୁଣଗାନ କରିବା କ’ଣ ତାଙ୍କ ଧର୍ମକି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ପ୍ରଦେଶ କଂଗ୍ରେସ ଭବନରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ।
ଶ୍ରୀ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଛନ୍ତି ଯେ ଓଡ଼ିଶାରେ ଏବେ ଅଭିବ୍ୟକ୍ତିର ସ୍ୱାଧୀନତା ସଂକୁଚିତ ହେବାରେ ଲାଗିଛି । ଏହା ଆମ ଗଣତନ୍ତ୍ର ଲାଗି ଏକ ବିଡ଼ମ୍ବନା । ଯେଉଁ ସରକାର ଗଣତନ୍ତ୍ରର କଣ୍ଠରୋଧ କରେ ସେଠି ଘୋର ଅଘଟଣ ଘଟେ । ଅତ୍ୟାଚାରୀ ଓ ପ୍ରତିହିଂସା ପରାୟଣ ଶାସକ କେବଳ ଗଣତନ୍ତ୍ରର କଣ୍ଠରୋଧ କରେ । ଓଡ଼ିଶାରେ ଆଜି ସେହି ଅବସ୍ଥା ଦେଖିବାକୁ ମିଳୁଛି । ଏହି କିଛି ଦିନ ହେଲା ଗୋଟେ ପରେ ଗୋଟେ ଗଣମାଧ୍ୟମ ଉପରେ ବିଜେଡ଼ି ସରକାର ପ୍ରତିହିଂସା ପରାୟଣ ହୋଇ ସରକାରୀ କଳର ସଂପୂର୍ଣ୍ଣ ଅପବ୍ୟବହାର ଓ ଚାପ ପ୍ରୟୋଗ କରି କଣ୍ଠରୋଧ କରିବାପାଇଁ ଲାଗିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜକୁ ଜନସାଧାରଣଙ୍କ ପ୍ରତିନିଧି ପରିବର୍ତେ ନିଜକୁ ରାଜା ଏବଂ ସ୍ୱେଚ୍ଛାଚାରୀ ଶାସକ ବୋଲି ପ୍ରମାଣିତ କରୁଛନ୍ତି । ରାଜ୍ୟ ସରକାରଙ୍କାର କଳାକାରନାମାକୁ ଯେଉଁ ଗଣମାଧ୍ୟମ ବା ସାମ୍ବାଦିକ ମାନେ ପ୍ରକାଶ କଲେ ଏବଂ ତାର ସମାଲୋଚନା କଲେ ତାଙ୍କ ଉପରେ ସରକାରୀ ପ୍ରାୟୋଜିତ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । କଂଗ୍ରେସ ଦଳ ସରକାରଙ୍କ ଏତାଦୃଶ କାର୍ଯ୍ୟକୁ କେବେ ବରଦାସ୍ତ କରିବ ନାହିଁ । ସମ୍ବିଧାନରେ ଦିଆଯାଇଥିବା ଚତୁର୍ଥସ୍ତମ୍ବର ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରୁଥିବା ଓଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଲଢ଼େଇ କରିବ । ଆଜି ରାଜ୍ୟରେ ଗଣମାଧ୍ୟମ ଜଗତ ପାଇଁ ଏକ ଅଘୋଷିତ ଜରୁରୀ କାଳୀନ ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁ ସାମ୍ବାଦିକମାନେ ରାଜ୍ୟର ବିଜେଡ଼ି ସରକାରଙ୍କର ଦୁର୍ନୀତିକୁ ଲୋକଲୋଚନକୁ ଆଣୁଛନ୍ତି ସତ୍ୟ ଓ ତଥ୍ୟ ସମ୍ବଳିତ ଖବର ପ୍ରକାଶ କରୁଛନ୍ତି ସେମାନଙ୍କୁ ସରକାର ସରକାରୀ କଳ ମାଧ୍ୟମରେ ସିଧା ଟାର୍ଗେଟ କରୁଛନ୍ତି ଏବଂ ସିଧାସଳଖ ଧମକ ମଧ୍ୟ ଦେଉଛନ୍ତି । ସାମ୍ବାଦିକ ମାନଙ୍କୁ ସରକାରୀ ଘର ଛାଡ଼ିବାପାଇଁ ନୋଟିସ ଦିଆଯାଉଛି । ରାଜ୍ୟରେ ୧୭ ବର୍ଷ ହେଲା ସାମ୍ବାଦିକଙ୍କ ଅଧିସ୍ୱୀକୃତି କମିଟି ନାହିଁ । ସାମ୍ବାଦିକମାନେ ଦୀର୍ଘଦିନ ଧରି ଆବେଦନ କରିଥିଲେ ମଧ୍ୟ ଅଧିସ୍ୱୀକୃତି ମିଳୁନାହିଁ । ସରକାର ଏହି କମିଟିକୁ ନିଜ ଅଧିନରେ ରଖି ସାମ୍ବାଦିକ ମାନଙ୍କୁ ନିୟନ୍ତ୍ରିତ କରିବାକୁ ଚେଷ୍ଟା କରୁଛନ୍ତି । ୨୦୨୩ ମସିହା ପ୍ରେସଫ୍ରିଡମ ଅଫ ଇଣ୍ଡେକ୍ସରେ ଭାରତର ସ୍ଥାନ ୧୮୦ ଟି ଦେଶ ମଧ୍ୟରେ ୧୬୧ ସ୍ଥାନରେ । ପୂର୍ବବର୍ଷ ତୁଳନାରେ ଏହା ୧୧ ସ୍ଥାନ ତଳକୁ ଖସିଛି । ଦେଶରେ ଗଣମାଧ୍ୟମର ସ୍ୱରକୁ ପ୍ରତିଦିନ ସଂକୁଚିତ କରୁଥିବା ବେଳେ ଓଡିଶାରେ ନବୀନ ପଟ୍ଟନାୟକ ମଧ୍ୟ ଅନୁରୂପ ସ୍ଥିତି ସୃଷ୍ଟି କରୁଛନ୍ତି । ଓଡ଼ିଶାର ଲୋକ ବୁଝିସାରିଲେଣି ଏଠି ଆଇନର ଶାସନ ଚାଲିନାହିଁ । ଅନ୍ୟାୟ ଅନିତିର ଶାସନ ଚାଲିଛି । ସମ୍ବାଦ ଖବର କାଗଜ ଉପରେ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ବିଭାଗ ଦ୍ୱାରା ଚଢ଼ାଉ ଅତ୍ୟନ୍ତ ନିନ୍ଦନିୟ ଏହା ଉଦ୍ଦେଶ୍ୟମୂଳକ । ସତ୍ୟ ପ୍ରକାଶ କରିବା ଯୋଗୁଁ । ଆଜି ସମ୍ବାଦ ଖବର କାଗଜ ଉପରେ ଏପରି ଦମନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । କଂଗ୍ରେସ ଆସନ୍ତା ଦିନରେ ସରକାର ଗଠନ କରିବ । ଓଡ଼ିଶାର ଜନସାଧାରଣ ବିଜେଡ଼ି ଓ କେନ୍ଦ୍ର ବିଜେପି ସରକାର କୁଶାସନ ଓ ଜନବିରୋଧି ନିଷ୍ପତିରେ ଆଜି ହନ୍ତସନ୍ତ ହୋଇସାରିଲେଣି । ସମୟକୁ ଅପେକ୍ଷା କରିଛନ୍ତି । ଓଡ଼ିଶାରେ କଂଗ୍ରେସ ସରକାର ଫେରିଲେ ସାମ୍ବାଦିକ ମାନଙ୍କୁ ସଚିବାଳୟ ଓ ବିଧାନସଭାକୁ ଆସି ସମ୍ବାଦ ସଂଗ୍ରହ କରିବା ପୂର୍ଣ୍ଣ ଅନୁମତି ମିଳିବ । ସାମ୍ବାଦିକ ମାନଙ୍କର ନ୍ୟାର୍ଯ୍ୟଦାବି ଓ ସମ୍ମାନକୁ ଫେରାଇ ଦିଆଯିବ । ମହିଳା ସଂରକ୍ଷଣ ବିଲ ଉପରେ ସାମ୍ବାଦିକ ମାନଙ୍କୁ ଉତର ଦେଇ ସେ କହିଥିଲେ ଯେ ସ୍ୱର୍ଗତ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସ୍ୱପ୍ନକୁ ପୂରଣ କରିବାପାଇଁ ଶ୍ରୀମତୀ ସୋନିଆ ଗାନ୍ଧୀ ଉପା-୨ କଂଗ୍ରେସ ସରକାର ସମୟରେ ଏହି ବିଲକୁ ୨୦୧୦ ମସିହା ମାର୍ଚ୍ଚମାସ ୯ ତାରିଖ ରାଜ୍ୟ ସଭାରେ ପାସ କରାଇଥିଲେ । ପରବର୍ତୀ ପର୍ଯ୍ୟାୟରେ ଏହା ଲୋକସଭାରେ ପାସ ହୋଇପାରିନଥିଲା । କିନ୍ତୁ ମହିଳାମାନଙ୍କୁ ୩୩% ପାଲ୍ୟାମେଂଟ ଏବ ରାଜ୍ୟ ବିଧାନସଭାରେ ସଂରଣକ୍ଷ ଦିଆଯାଉ ବୋଲି ଶ୍ରୀମତୀ ସୋନିଆ ଗାନ୍ଧୀ ନିଷ୍ପତି ନେଇଥିଲେ । ୧୯୮୯ ମସିହାରୁ ମହିଳାମାନଙ୍କୁ ପଂଚାୟତ ଓ ନଗରପାଳିକାରେ ଏକ ତୃତୀୟାଂଶ ରିଜରଭେସନ କଂଗ୍ରେସ ୭୩ ତମ ସମ୍ବିଧାନ ସଂଶୋଧନ ବିଲ ମାଧ୍ୟମରେ ପ୍ରଦାନ କରିବାପାଇଁ ଚେଷ୍ଟା କରିଥିଲା ଏବଂ ୧୯୯୩ ମସିହାରେ କଂଗ୍ରେସ ସରକାରରେ ଏହି ବିଲ ପାରିତ ହୋଇଥିଲା । ତେଣୁ କଂଗ୍ରେସ ଏକମାତ୍ର ରାଜନୈତିକ ଦଳ ଯିଏକି ମହିଳାମାନଙ୍କୁ ସମଭାଗିଦାରୀ କରିବାପାଇଁ ପ୍ରତ୍ୟେକ ସ୍ତରରେ କାର୍ଯ୍ୟ କରୁଛି । ତେଣୁ ବିଜେଡ଼ି ଓ ବିଜେପି ମହିଳାମାନଙ୍କ ବିକାଶ ପାଇଁ ଏପର୍ଯ୍ୟନ୍ତ କୌଣସି ଠୋସ ନିଷ୍ପତି ନେଇନାହାନ୍ତି । କାଳିଆ ଯୋଜନାରେ ୧୦ ଜହାର ଟଙ୍କା ପ୍ରତିବର୍ଷ ଚାଷୀଙ୍କ ଖାତାକୁ ଯିବ ବୋଲି କୁହାଯାଇଥିଲା । ଠିକ ନିର୍ବାଚନ ପୂର୍ବରୁ ବଡ଼ ଜୋର ପ୍ରଚାର କରି କହିଲେ ଏହା କୃଷକମାନଙ୍କ ପାଇଁ ଏକ ଗେମଚେଞ୍ଜର ହେବ । କିନ୍ତୁ ନିର୍ବାଚନ ସରିଲା କାଳିଆ ଯୋଜନରେ ବର୍ତମାନ ମାତ୍ର ୪ ହଜାର ଟଙ୍କା ଦୁଇଟି କିସ୍ତିରେ କୃଷକଙ୍କ ଖାତାକୁ ଦିଆଯାଉଛି । ଦୀର୍ଘ ୧୩ ବର୍ଷ ଭିତରେ କୃଷକଙ୍କର ଆୟ ୩ ଟଙ୍କା ବି ବୃଦ୍ଧି ଘଟିନାହିଁ । ଏତେ ସଂଖ୍ୟକ କୃଷକ ରାଜ୍ୟରେ କାହିଁକି ମୃତ୍ୟୁବରଣ କରୁଛନ୍ତି । ସବୁଧାନ କାହିଁକି ଖରଦି କରାଯାଉନାହିଁ, କଟଣୀ, ଛଟଣୀ କେବେ ବନ୍ଦ ହେବ, ଏହାର ସମାଧାନ ୨୩ ବର୍ଷରେ ହୋଇପାରିଲା ନାହିଁ ।
ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ମେନିଫେଷ୍ଟୋ କମିଟିର ଅଧ୍ୟକ୍ଷ ଶ୍ରୀ ପଂଚାନନ କାନୁନଗୋ ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଲେ ଜଣେ ସଂପାଦକ କ’ଣ ସାଂପଦକୀୟ ଲେଖିବ ତାକୁ କଣ ବିଜେଡ଼ି ସରକାରଙ୍କୁ ପଚାରିକି ଲେଖିବ । ସାମ୍ବାଦିକତା ବୃତିର ଧର୍ମ ହେଉଛି ସତ୍ୟ ଓ ନ୍ୟାୟକୁ ଲେଖିବା । ଯେଉଁ ସାମ୍ବାଦିକମାନେ ସରକାରଙ୍କର ଅନ୍ୟାୟ ଅନିତି ଓ ଦୁର୍ନୀତି ବିରୋଧରେ ସ୍ୱର ଉତୋଳନ କରିବ ତାକୁ ସରକାର ଆକ୍ରୋଶମୂଳକ ଆକ୍ରମଣ କରିବା ସ୍ୱେଚ୍ଛାଚାରିତାର ସବୁଠାରୁ ନିମ୍ନସ୍ତର ବୋଲି ଆମକୁ ବୁଝିବାକୁ ପଡ଼ିବ । ନବୀନ ପଟ୍ଟନାୟକ ଜଣେ ସ୍ୱେଚ୍ଛାଚାରୀ ବୋଲି ଏଥିରୁ ପ୍ରମାଣିତ ।