ବଲାଣି : ବଡ଼ବିଲ ଥାନା ଅନ୍ତର୍ଗତ ରିମୂଳି-ରାଜାମୁଣ୍ଡା ଜାତୀୟ ରାଜପଥ ସଂଖ୍ୟା ୫୨୦ର ଟୋଣ୍ଟ ଛକ ଠାରେ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଉକ୍ତ ବାଇକ ରେ ବସିଥିବା ୫ ବର୍ଷର ନାବାଳକ ଗୁରୁତର ହୋଇଥିବା ସୂଚନା ମିଳିଛି ।
ମୃତକ ଜଣକ ଚମ୍ପୁଆ ନିକଟସ୍ଥ ବାଙ୍କ ଅଞ୍ଚଳର ପ୍ରଫୁଲ୍ଲ କାରୁଆ ବୋଲି ଜଣା ପଡିଥିବା ବେଳେ ତାଙ୍କ ନାବାଳକ ପୁଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ଧକ୍କା ଦେଇଥିବା ଟ୍ରକ ଚାଳକ ମଦ୍ୟପାନ କରି ଗାଡି ଚାଳନା କରୁଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ଘଟଣା ସ୍ଥଳରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇବା ସହିତ ଉପସ୍ଥିତ ଲୋକେ ଟ୍ରକ ଚାଳକକୁ ବଡ଼ିଆ ପିଟା କରିଥିଲେ । ବେପରୁଆ ଗାଡି ଚାଳନା ଯୋଗୁଁ ଯୋଡ଼ା ଖଣି ଅଞ୍ଚଳର ବିଭିନ୍ନ ସଡ଼କରେ ଦୁର୍ଘଟଣା ଏବେ ସାଧାରଣ କଥା ପାଲଟିଥିବା ବେଳେ ପ୍ରଶାସନିକ ଉଦାସୀନତା ଯୋଗୁଁ ଜନ ସାଧାରଣ ବିଭିନ୍ନ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ଖଣି ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା କୁ ସୁଧାରିବାକୁ ବଡ଼ବିଲ ଠାରେ ଏକ ସ୍ୱତନ୍ତ୍ର ଟ୍ରାଫିକ ୟୁନିଟ ଗଠନ କରାଯାଇଥିବା ବେଳେ ଏହାର ସଫଳତା ଖଣି ଅଂଚଳରେ ଦେଖାଯାଉନାହିଁ । ଖଣିଜ ପଦାର୍ଥ ପରିବହନ ନିମନ୍ତେ ଖଣି କ୍ଷେତ୍ରର ବିଭିନ୍ନ ସଡ଼କରେ ହଜାର ହଜାର ସଂଖ୍ୟାରେ ଅହରହ ବଡ଼ ବଡ଼ ଟ୍ରକ ଓ ଟ୍ରେଲର ଚାଲୁଥିବା ବେଳେ ଅବ୍ୟବସ୍ଥିତ ଟ୍ରାଫିକ ନିମନ୍ତେ ପ୍ରତ୍ୟେହ ଦୁର୍ଘଟଣା ଘଟୁଛି । ଏହା ବ୍ୟତୀତ ରାସ୍ତା କଡରେ ଟ୍ରକ ଗୁଡିକ ଠିଆ ହୋଇ ରହିବା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି କରିବା ସହିତ ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଛି । ଖଣିଜ ପଦାର୍ଥ ପରିବହନ ରେ ନିୟୋଜିତ ଟ୍ରକ ଗୁଡିକ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଉନଥିବାରୁ ଏହି ଟ୍ରକ ଗୁଡିକ ଉପରୁ ପ୍ରଶାସନିକ ନିୟନ୍ତ୍ରଣ ରହୁନାହିଁ । ତେବେ ଟୋଣ୍ଟ ଠାରେ କ୍ରମାଗତ ଭାବେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ସୁଦ୍ଧା ପ୍ରଶାସନର ନିଦ ଭାଙ୍ଗୁନଥିବା ଯୋଗୁଁ ଜନସାଧାରଣ ରେ ଅସନ୍ତୋଷ ସୃଷ୍ଟି ହୋଇଛି । ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ କରି ଆଵଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣ ରେ ଦାବି ହେଉଛି ।