ଭୁବନେଶ୍ୱର : ବିଜୁ ଛାତ୍ର ଜନତା ଦଳ ବିଜେବି କଲେଜର କ୍ୟାମ୍ପସ ଭିତରେ ଦୌରାତ୍ମ୍ୟ ଚଲାଇଛି ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ ଅଭିଯୋଗ କରିଛନ୍ତି । ଆଜି ପୂର୍ବାହ୍ନ ୧୨ ଘଂଟା ସମୟରେ ବିଜେବି କଲେଜର କିଛି ଛାତ୍ର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜଙ୍କୁ ସାକ୍ଷାତ କରି ଛାତ୍ର ବିଜେଡ଼ିର କର୍ମକର୍ତା ଓ ସମର୍ଥକମାନେ ବିଜେବି କଲେଜରେ କିପରି ଭାବରେ ସେମାନଙ୍କୁ ହଇରାଣ ହରକତ କରିବା ସହ ମରଣାନ୍ତକ ଆକ୍ରମଣ କରୁଛନ୍ତି ତାହା ଜଣାଇଥିଲେ । କିଛି ଛାତ୍ରମାନେ ସ୍ୱାଧୀନତା ଦିବସ ପାଳନ କରିବାପାଇଁ ଭାରତମାତାଙ୍କ ଚିତ୍ର ସହ ଏବଂ ଜାତୀୟ ପତାକାର ଫଟୋ ସହ ବ୍ୟାନର ମାରିଥିଲେ । ସେହି ବ୍ୟାନରରେ କୌଣସି ଦଳର ଚିହ୍ନ ନଥିଲା ବା ଏହା କୌଣସି ଦଳର ସମର୍ଥିତ ବ୍ୟାନର ନଥିଲା । ବିଜୁ ଛାତ୍ର ଜନତା ଦଳର ସଭ୍ୟ ଏବଂ କର୍ମକର୍ତମାନେ ଏହି ବ୍ୟାନରକୁ ଚିରିଦେବା ସହ ସେଠାରେ ବ୍ୟାନର ଲଗାଉଥିବା ପିଲାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ମାଡ଼ଖାଇଥିବା ଛାତ୍ରମାନେ ସ୍ଥାନୀୟ ବରଗଡ଼ ଥାନାରେ ୫ ଘଂଟା ଅଟକ ରଖିଥିବା ବେଳେ ଯେଉଁମାନେ ମାଡ଼ ମାରିଥିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ପୂର୍ବରୁ ବିଜୁ ଛାତ୍ର ଜନତା ଦଳର କିଛି କର୍ମକର୍ତା ଜଣେ ଛାତ୍ରୀକୁ ଦୁର୍ବ୍ୟବହାର କରିଥିଲେ ମଧ୍ୟ ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେଲାନାହିଁ । କେବଳ ବିଜେବି କଲେଜ ନୁହେଁ ସାରା ଓଡ଼ିଶାର କଲେଜରେ ଏବଂ ୟୁନିଭରସିଟି ମାନଙ୍କରେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ପ୍ରଶାସନର ସହାୟତାରେ ଆତଙ୍କରାଜ ଚଳାଇଛି । ଛାତ୍ରମାନଙ୍କୁ ଜୋରଜବରଦସ୍ତ ବିଜୁ ଛାତ୍ର ଜନତା ଦଳରେ ଯୋଗଦେବା ପାଇଁ ବାଧ୍ୟ କରାଯାଉଛି । ଯେଉଁମାନେ ରାଜି ହେଉନାହାନ୍ତି ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରୁଛନ୍ତି ଏବଂ ସେମାନଙ୍କ ବିରୋଧରେ ମିଥ୍ୟା କେସ ଲଗାଇ ଗିରଫ କରାଯାଉଛି । ଛାତ୍ର କଂଗ୍ରେସ ବିଜୁ ଜନତା ଦଳର ଆତଙ୍କରାଜକୁ କଲେଜ ଓ ୟୁନିଭରସିଟିକୁ ମୁକ୍ତ କରିବାପାଇଁ ଦାବି କରିଛି । ବିଜେବି କଲେଜରେ ଆତଙ୍କ ରାଜ କରୁଥିବା ବିଜୁଛାତ୍ର ଜନତା ଦଳର ସଭ୍ୟ ଏବଂ ସମର୍ଥକ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ୟାସିର ନୱାଜ କହିଛନ୍ତି ।