ଭୁବନେଶ୍ୱର : ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ମୋଦୀ ସରକାରଙ୍କ ଘୃଣା ଓ ହିଂସା ରାଜନୀତି ପ୍ରତିବାଦରେ ବିକ୍ଷୋଭ କରାଯାଇଥିଲା । ରାହୁଲ ଗାନ୍ଧୀଙ୍କର ଛବିକୁ ମଳୀନ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଯେଉଁ ହୀନ ଉଦ୍ୟମ କରାଯାଇଛି ତାହାକୁ ଭୁବନଶ୍ୱେର ଜିଲ୍ଲା କଂଗ୍ରେସ ଦୃଢ଼ ନିନ୍ଦା କରିଛନ୍ତି । ରାହୁଲ ଗାନ୍ଧୀଙ୍କୁ ରାବଣ ରୂପେ ଚିତ୍ରଣ କରିବା ଘୃଣା, ହିଂସା ଓ ଇର୍ଷା ରାଜନୀତିର ଉଦାହରଣ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାସ କହିଛନ୍ତି । ଭାରତକୁ ଯୋଡ଼ିବା ପାଇଁ, ଭାରତର ବିଭିନ୍ନ ଧର୍ମ, ବର୍ଣ୍ଣ, ଭାଷା, ଜାତି ଓ ଅଂଚଳର ଲୋକଙ୍କୁ ଭାରତୀୟତାର ସଂପର୍କରେ ଯୋଡ଼ି ରଖିବା ପାଇଁ ରାହୁଲ ଗାନ୍ଧୀ ଯେଉଁ ଭାରତ ଯୋଡ଼ କରିଥିଲେ ତାହା ଐତିହାସିକ ଓ ଭାରତର ଏକତା ଓ ଅଖଣ୍ଡତା ପାଇଁ ଅଭିପ୍ରେତ । ରାହୁଲ ଗାନ୍ଧୀଙ୍କର ଜନପ୍ରିୟତା ଏବଂ ସାଧାରଣ ଲୋକ ରାହୁଲ ଗାନ୍ଧୀଙ୍କୁ ଦେଉଥିବା ସ୍ନେହ, ଶ୍ରଦ୍ଧା ଓ ପ୍ରେମ ଉପରେ ଇର୍ଷାନ୍ୱିତ ହୋଇ ବିଜେପି ଦଳ ପକ୍ଷରୁ ଏଭଳି ହୀନ ଉଦ୍ୟମ କରିଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କର ସହଯୋଗୀ ଅମିତ ସାହା, ରାଜନାଥ ସିଂ, ନିର୍ମଳା ସୀତାରମଣ, ସ୍ମୃତିଇରାନୀ, ପ୍ରଜ୍ଞା ଠାକୁର, ସାକ୍ଷୀ ମହାରାଜ, ଅନୁରାଗ ଠାକୁର ପ୍ରଭୂତି ୧୦ ଜଣଙ୍କର ମୁଣ୍ଡର ଚିତ୍ର ସହ ଏକ କୁଶପୁତଳିକା ଦାହ କରାଯାଇଛି ।
ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନ ଠାରୁ ଶ୍ରୀ ଦାସଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ଶୋଭାଯାତ୍ରା ମାଷ୍ଟର କ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଏକ ଘଂଟା କାଳ ରାସ୍ତା ଅବରୋଧ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।