ଭୁବନ : ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୧ ନମ୍ବର ୱାର୍ଡ ଲତାବିଲ ଅଞ୍ଚଳର ଜଣେ ଝିଅକୁ ତା ଶାଶୁଘର ଲୋକେ ଯୌତୁକ ନିର୍ଯ୍ୟାତନା ଦେବା ସହ ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିବା ଅପରାଧରେ ଶାଶୁ ଓ ସ୍ବାମୀଙ୍କୁ ଜେଲ ଯିବାକୁ ପଡ଼ିଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭୁବନ ଅଂଚଳର ଭାଗିରଥି ବେହେରାଙ୍କ କନ୍ୟା ରଶ୍ମିତା ବେହେରା ୨୦୨୨ ମସିହା ଅପ୍ରେଲ ମାସ ୧୭ ତାରିଖରେ ଜଗତସିଂହପୁରର ଏସଭିଏମ କଲେଜର ଅଧ୍ୟାପିକା ସୁପ୍ରଭା ଜେନା ଓ ଅକ୍ଷୟ କୁମାର ପାତ୍ରଙ୍କ ପୁଅ ଡନ ଓରଫ ଖାରବେଳ ଦିଗବିଜୟ ପାତ୍ରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବାହାଘର ସମୟରେ ୫ ଭରି ସୁନା ଗହଣା ସମେତ ସମସ୍ତ ଘରକରଣା ସାମଗ୍ରୀ ଓ ଜାନି ଯୌତୁକ ପ୍ରଦାନ କରିଥିଲେ। ବିବାହର ଏକ ମାସ ପରେ ଶାଶୁଘର ଲୋକ ଯଥା ସ୍ଵାମୀ ଡନ ଓରଫ ଖାରବେଳ ଦିଗବିଜୟ ପାତ୍ର, ଶାଶୁ ସୁପ୍ରଭା ଜେନା, ଶ୍ଵଶୁର ଅକ୍ଷୟ କୁମାର ପାତ୍ର ଓ ଦିଅର ଶ୍ରୀହର୍ଷ ଦିଗବିଜୟ ପାତ୍ର, ରଶ୍ମିତାଙ୍କୁ ଯୌତୁକ ନିର୍ଯ୍ୟାତନା ଦେଇ ମାନସିକ ଓ ଶାରୀରିକ ଅତ୍ୟାଚାର ଆରମ୍ଭ କଲେ। ଗତ ଜୁନ ମାସ ୫ ତାରିଖ ଦିନ ରଶ୍ମିତା ଜଗତସିଂପୁର ଉଗ୍ରତାରା କଲୋନୀ ସ୍ଥିତ ଶାଶୁଘରେ ରୋଷେଇ କରୁଥିବା ବେଳେ ରୁଟି ପୋଡିଯିବା ଯୋଗୁଁ, ତାଙ୍କ ଶାଶୁ ସୁପ୍ରଭା ଜେନା ତାଙ୍କୁ ଆକ୍ରମଣ କରି ସେହି ଗରମ ରୁଟି ସେକା ତାୱା ରେ ତାଙ୍କ ଦେହର ଅନେକ ଜାଗାକୁ ଗରମ ଚେଙ୍କ ଦେଇ କ୍ଷତାକ୍ତ କରିଦେଲେ ଓ ତାଙ୍କୁ ଜୀବନରେ ମାରିଦେବା ପାଇଁ ପରିବାର ଲୋକ ପ୍ରଚେଷ୍ଟା କଲେ। ସ୍ଵାମୀ ଡନ ଓରଫ ଖାରବେଳ ଦିଗବିଜୟ ପାତ୍ର, ରଶ୍ମିତାଙ୍କୁ ସବୁବେଳେ ନିଶାସକ୍ତ ଅବସ୍ଥାରେ ମାଡ ମାରି ଲହୁଲୁହାଣ କରୁଥିଲେ। ଭୁବନ ସ୍ଥିତ ରଶ୍ମିତାର ବାପା, ମା ଏହି ଖବର ପାଇ ଗତ ଜୁନ ୯ ତାରିଖରେ ଜଗତସିଂହପୁର ଶାଶୁଘରୁ ତାଙ୍କ ଜୀବନ ବଞ୍ଚାଇ ନେଇ ଆସିଲେ ଓ ହସ୍ପିଟାଲରେ ଚିକିତ୍ସା କରାଇଥିଲେ । ସୁସ୍ଥ ହେବା ପରେ ଏ ସଂକ୍ରାନ୍ତରେ ଗତ ଜୁଲାଇ ୧୯ ତାରିଖରେ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଭୁବନ ଥାନା ପକ୍ଷରୁ କେଶ୍ ନମ୍ବର ୨୬୯ ଦଫା ୪୯୮ ଏ, ୨୯୪, ୩୨୩, ୩୨୪, ୩୦୭, ୫୦୬, ୩୪ ଓ ୬ଏ/୪ (ଯୌତୁକ ନିରୋଧୀ) ରେ ମାମଲା ରୁଜୁ ହୋଇଥିଲା । ତଦନ୍ତ ସମୟରେ ଘଟଣାର ସତ୍ଯାସତ୍ଯ ନିର୍ଧାରଣ ହେବା ପରେ ଗତକାଲି ସକାଳୁ ଭୁବନ ଥାନାର ଏକ ସ୍ଵତନ୍ତ୍ର ପୋଲିସ ଟିମ ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶରେ ଜଗତସିଂପୁର ସ୍ଥିତ ମୁଦାଲା ମାନଙ୍କ ଘରେ ଚଢଉ କରି ଶାଶୁ ସୁପ୍ରଭା ଜେନା ଓ ସ୍ଵାମୀ ଡନ ଓରଫ ଖାରବେଳ ଦିଗବିଜୟ ପାତ୍ରଙ୍କୁ ଗିରଫ କରି ଭୁବନ ଥାନାକୁ ଆଣିଥିଲେ । ଉଭୟ ମା ଓ ପୁଅଙ୍କୁ ଭୁବନ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। ଦୁଇଜଣଙ୍କ ଜାମିନ ନାମାଞ୍ଜୁର ହେବାରୁ ଉଭୟଙ୍କୁ କାମାକ୍ଷାନଗର ସ୍ଥିତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଭୁବନ ପୋଲିସର ଏହି ସମୟୋଚିତ କାର୍ଯ୍ୟ ଯୋଗୁଁ ପୀଡ଼ିତା ଓ ତାଙ୍କ ପରିବାର ଖୁସି ବ୍ୟକ୍ତ କରିଛନ୍ତି। ଘଟଣାରେ ଜଡିତ ଥିବା ପରିବାରର ଅନ୍ୟ ସଦସ୍ୟଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଭୁବନ ଥାନା ଆଇଆଇସି ସୌଭାଗ୍ୟ କୁମାର ସ୍ଵାଇଁ କହିଛନ୍ତି ।