ଭୁବନେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ଦାବିଦାର ନଥିବା୨୮ଟି ମୃତଦେହକୁ ଅନ୍ତିମ ସଂସ୍କାର କରାଯିବ । ଏସବୁ ମୃତଦେହକୁ ଡିସପୋଜ୍ କରିବା ପାଇଁ ଏମ୍ସ ଭୁବନେଶ୍ୱର ତରଫରୁ ମଙ୍ଗଳବାର ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦଫାରେ ଏମ୍ସରୁ ୩ଟି ମୃତଦେହ ଡିସପୋଜ ହୋଇଛି । ଅନ୍ୟ ମୃତହେଦ ଡିସପୋଜ ପାଇଁ ପ୍ରକ୍ରିୟା ଜାରି ରହିଛି । ବିଏମସି, ପୂର୍ବତଟ ରେଳପଥ ଓ ସିବିଆଇ ଉପସ୍ଥିତିରେ ମୃତଦେହକୁ ଡିସପୋଜ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଡିସପୋଜ୍ ପ୍ରକ୍ରିୟା ପରେ ମୃତଦେହକୁ ବିଏମସିକୁ ହସ୍ତାନ୍ତର କରାଯିବ । ସତ୍ୟନଗର ଓ ଭରତପୁର ଶ୍ମଶାନରେ ଶେଷକୃତ୍ୟ କରାଯିବ ।
ଗତକାଲି ବିଏମସି କମିଶନର ବିଜୟ ଅମୃତା କୁଳାଙ୍ଗେ ଏସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଦିଲ୍ଲୀ ରୁ ସିବିଆଇ ଅଧିକାରୀ ଆସିବା ପରେ ଶବ ହସ୍ତାନ୍ତର ଓ ଦାହ ପ୍ରକ୍ରିୟା ଆରମ୍ଭ ହେବ । ଯେଉଁଦିନ ଏମ୍ସ ଶବ ହସ୍ତାନ୍ତର କରିବ ସେହିଦିନ ହିଁ ଶବ ଦାହ କରାଯିବ । ଶବ ଗୁଡିକ କାଠ ଜରିଆରେ ପୋଡ଼ାଯିବ । ଏନଏଚଆରସି ଗାଇଡଲାଇନ ଅନୁସାରେ ସତ୍କାର ହେବ ।
ସୂଚନାଯୋଗ୍ୟ ଯେ ବାହାନଗା ରେଳ ଦୁର୍ଘଟଣାକୁ ୪ ମାସ ବିତିସାରିଥିଲେ ମଧ୍ୟ ଚିହ୍ନଟ ହୋଇନଥିବା ୨୮ ମୃତଦେହ ଏବେ ବି ଏମସ୍ ପରିସରରେ ରହିଛି । ଡିଏନଏ ଟେଷ୍ଟ ପରେ ମଧ୍ୟ କିଛି ମୃତଦେହ ଚିହ୍ନଟ ହୋଇ ପାରିନଥିଲା । ବଡ଼ି ଡିସପୋଜ ପାଇଁ ଅଗଷ୍ଟ ୨୫ରେ ସିବିଆଇ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିଲା । ଏହାପରେ ଅକ୍ଟୋବର ୭ରେ ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ଲେଖିବା ପରେ ଅଚିହ୍ନା ମୃତ ଶରୀର ଡିସପୋଜ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଏମସି ।