ଭଦ୍ରକ : ଭଦ୍ରକ ବିଧାନସଭାର କଂଗ୍ରେସ ପ୍ରାର୍ଥୀ ଅସିତ୍ ପଟ୍ଟନାୟକ ଓରଫ ବୁଲୁ ତାଙ୍କର ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଆସି ଉପଜିଲାପାଳ ତଥା ରିଟର୍ଣ୍ଣିଂ ଅଫିସର ମନୋଜ ପାତ୍ରଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀ ପଟ୍ଟନାୟକ ତାଙ୍କର ହଜାର ହଜାର ସଂଖ୍ୟକ ସମର୍ଥକଙ୍କ ଗହଣରେ ଭଦ୍ରକ ଜିଲା କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ମା’ ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ ମା’ଙ୍କ ଆଶୀର୍ବାଦ ନେବା ପରେ ସହର ପରିକ୍ରମା ପୂର୍ବକ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ôଚ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ଶୋଭାଯାତ୍ରାରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ସମସ୍ତ ପଂଚାୟତ ସହ ଭଦ୍ରକ ପୌରପାଳିକାର ବହୁ ୱାର୍ଡରୁ ହଜାର ହଜାର ସଂଖ୍ୟକ କଂଗ୍ରେସ କର୍ମୀମାନେ ଏକତ୍ରିତ ହୋଇ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ଶ୍ରୀ ପଟ୍ଟନାୟକଙ୍କ ପ୍ରାର୍ଥୀପତ୍ର ଦାଖଲ ସମୟରେ ଭଦ୍ରକ ସାଂସଦ ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠୀ, ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର, ବରିଷ୍ଠ ନେତା ରାଧାକାନ୍ତ ସାମଲ, କାଉନ୍ସିଲର ହେମନ୍ତ ସାହୁ, ଜିଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତି, ଫରିୟାଜ ଖାନଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇଥିଲେ । ଏହି ନାମାଙ୍କନ ପତ୍ର ଦାଖଲ କାଳରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଏହା ୨୪ ବର୍ଷ କୁଶାସନ ବିରୁଦ୍ଧରେ ଭଦ୍ରକବାସୀଙ୍କ ପାଇଁ ସ୍ୱାଭିମାନର ଲଢେଇ । ଭଦ୍ରକ ମାଟି ଆଜି ମୋତେ ଲଢିବାର ସୁଯୋଗ ଦେଇ ଆଜିର ପ୍ରଚଣ୍ଡ ଖରାରେ ମୋ ପ୍ରତି ଯେଉଁ ବିପୁଳ ସମର୍ଥନ ଜଣାଇଛନ୍ତି, ତାହା ମୋର ଆଗାମୀ ଦିନର ବିଜୟର ସୂଚନା ଦିଏ । କଂଗ୍ରେସ ଓ ମୋତେ ଭଲ ପାଉଥିବା କଂଗ୍ରେସ ପ୍ରେମୀ, ବୁଦ୍ଧିଜୀବୀ ଓ ଛାତ୍ର ସମାଜ, ମହିଳା ସମସ୍ତେ ଆଜି ମୋର ନୋମିନେସନରେ ସାମିଲ ହୋଇଛନ୍ତି । ଅତୀତରେ ଦୁଇଟି ବଡ ଦଳ ଭଦ୍ରକ ବାସୀଙ୍କ ବିକାଶ କ୍ଷେତ୍ରରେ ଯେଉଁ ଅପମାନ ଦେଇଛନ୍ତି, ସୁପ୍ତ କଂଗ୍ରେସ ଆଜି ସେମାନଙ୍କ ବିରୁଦ୍ଧରେ ଜାଗି ଉଠିଛି । ଏବଂ ଭଦ୍ରକର ଅସ୍ମିତାକୁ ନେଇ ସମଗ୍ର ଭଦ୍ରକ ବିଧାନସଭା କ୍ଷେତ୍ର ଅତୀତରେ ମୋର ପିତା ତଥା ପୂର୍ବତନ ମନ୍ତ୍ରୀ ଓ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ବିକାଶର ଧାରା ଦେଖିଛି । ତେଣୁ ମୁଁ ତାଙ୍କ ଦାୟାଦ ଓ ସମଗ୍ର ଭାରତବର୍ଷର ସର୍ବବୃହତ୍ ଜାତୀୟ ଦଳ କଂଗ୍ରେସ ପକ୍ଷରୁ ଆଜି ଏକ କଳା ଶାସନ ବିରୁଦ୍ଧରେ ନିଶ୍ଚିତ ଭାବେ ବିଜୟଲାଭ କରି ଭଦ୍ରକବାସୀଙ୍କ ଦୁଇ ପ୍ରମୁଖ ଦାବି ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଗଣମାଧ୍ୟମଙ୍କ ଜରିଆରେ ସରକାରଙ୍କ ନିକଟରେ ଲଢେଇ କରିବି । ଆବଶ୍ୟକ ହେଲେ ଜନସାଧାରଣଙ୍କ ସହ ମିଶି ଚକା ଜାମ୍ ସହ ଆନ୍ଦୋଳନ କରିବି ବୋଲି କହିଛନ୍ତି ।