
ବଲାଙ୍ଗିର,୧୬ ଏପ୍ରିଲ : ବରିଷ୍ଟ ନାଗରିକ ମାନଙ୍କୁ ଏଟିଏମ୍ରୁ ଟଙ୍କା ବାହାର କରିବା ରେ ସାହାଯ୍ୟ କରିବା ବାହାନାରେ ଚତୁରତା ସହିତ ଏଟିଏମ୍ କାଡ ଅଦଳ ବଦଳ କରି ଚତୁରତାର ସହ ସିନିଅର୍ ସିଟିଜନ୍ଙ୍କ ଟଙ୍କା ହଡ଼ପ୍ କରୁଥିବା ଜଣେ ଯୁବକଙ୍କୁ ଗିରଫ୍ କରିବା ରେ ସଫଳ ହୋଇଛି ବଲାଙ୍ଗିର ଟାଉନ୍ ପୋଲିସ । ଆଜି ଏ ସଂକ୍ରାନ୍ତରେ ବଲାଙ୍ଗିର ଏସ୍ଡ଼ିପିଓ ପ୍ରଦୀପ କୁମାର ସାହୁ ଏକ ଆହୂତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ ଗତ ଏପ୍ରିଲ ୫ ତାରିଖ ଦିନ ପ୍ରାୟ ୧୨ଟା ସମୟରେ ବଲାଙ୍ଗିର ସହର ରମାଇପଡ଼ା ନିବାସୀ କ୍ଷୀତିଶ ରଂଜନ ମେହେର(୮୩) ଚନ୍ଦ୍ରଶେଖର ନଗର ରେ ଥିବା ଏକ ଏଟିଏମ୍ କାଉଣ୍ଟର୍କୁ ଟଙ୍କା କାଢ଼ିବା ପାଇଁ ଆସିଥିଲେ । ବୟସ ଅଧିକ କାରଣ ଯୋଗୁଁ ଏଟିଏମ୍ରୁ ଟଙ୍କା କାଢ଼ିବାରେ ସେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳକୁ ସେଠାରେ ଥିବା ଜଣେ ଯୁବକ ତାଙ୍କୁ ସାହାଯ୍ୟ କରିବା ବାହାନାରେ ତାଙ୍କର ଏଟିଏମ୍ କାର୍ଡ ଏବଂ ପିନ୍ କୋଡ୍ ମାଗିଥିଲେ ଓ ଯୁବକ ଜଣକ ଚତୁରତାର ସହ ଶ୍ରୀ ମେହେରଙ୍କ ଏଟିଏମ୍ କାର୍ଡକୁ ବଦଳାଇ ତାଙ୍କୁ ନିଜର ଏଟିଏମ୍ କାର୍ଡ ଟି ଦେଇ ଫେରାର୍ ହୋଇ ଯାଇଥିଲେ । ସଂପୃକ୍ତ ଯୁବକ ଜଣକ ଏହାପରେ ବଲାଙ୍ଗିର ସହରର ଭାଗୀରଥି ଛକ ସ୍ଥିତ ଏଟିଏମ୍ କାଉଣ୍ଟର୍ ରୁ ଶ୍ରୀ ମେହେରଙ୍କ ଏଟିଏମ୍ କାର୍ଡ ବ୍ୟବହାର କରି ୪୦ ହଜାର ଟଙ୍କା କାଢ଼ିବା ସହ ତାଙ୍କ ବାଇକ୍ରେ ଟିକ୍ରାପଦା ରେ ଥିବା ରାମକୃଷ୍ଣ ପେଟ୍ରୋଲ ପମ୍ପ ରୁ ଏଟିଏମ୍ ବ୍ୟବହାର କରି ୯ ଶହ ଟଙ୍କାର ପେଟ୍ରୋଲ ପକାଇଥିଲେ । କୌଣସି ସୂତ୍ରରୁ ବରିଷ୍ଟ ଶ୍ରୀ ମେହେର ଠକାମୀ ରେ ପଡ଼ିଥିବା ତାଙ୍କ ଏଟିଏମ୍ ଜାଲିଆତି ସଂପର୍କରେ ଜାଣିବା ପରେ ଗତ ୬ ତାରିଖ ଦିନ ବଲାଙ୍ଗିର ଟାଉନ୍ ଥାନା କୁ ଅସି ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ । ଏହିଭଳି ଏହାପୂର୍ବରୁ ଅନ୍ୟ ତିନି ଚାରୋଟି ଅଭିଯୋଗ ଟାଉନ୍ ଥାନାରେ ପହଂଚିଥିବା ଯୋଗୁଁ ଏହି ମାମଲାକୁ ଗୁରୁତ୍ୱ ସହକାରେ ଗ୍ରହଣ କରିଥିଲା ପୋଲିସ । ଘଟଣା ଟି ସମ୍ପର୍କ ରେ ବଲାଙ୍ଗିର ଏସ୍ପି ରିଷିକେଶ ଖିଲାରୀଙ୍କ ଦୃଷ୍ଟି କୁ ଆସିବା ପରେ ତାଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ବେଳେ ଖୋଳତାଡ କରି ଅଭିଯୁକ୍ତ ଯୁବକଙ୍କୁ ସମ୍ବଲପୁରରୁ ଗିରଫ୍ କରିଛି ବଲାଙ୍ଗିର ଟାଉନ୍ ପୋଲିସ । ସଂପୃକ୍ତ ଅଭିଯୁକ୍ତ ଜଣକ ହେଲେ ବରଗଡ଼ ସଦର ଥାନା ଅନ୍ତର୍ଗତ ତୋରା ନିବାସୀ ବର୍ତ୍ତମାନ ନିଗମାନନ୍ଦ ବିହାର ବଲାଙ୍ଗିର ର ଜୟ ସରାଫ (୩୩) । ଏହି ଯୁବକଙ୍କ ଶ୍ୱଶୁର ଘର ଟିଟିଲାଗଡ଼ ସହରରେ ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏଭଳି ଅନେକ ଘଟଣାରେ ସେ ସଂପୃକ୍ତ ଥିବା ତୁଷୁରା, ଲୋଇସିଂହା, ସଦର ପାଟଣାଗଡ ଓ ଦେଓଗାଁ ଥାନା ରେ ତା ନାମରେ ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହାପୂର୍ବରୁ ତାଙ୍କ ନାମରେ ବିଭିନ୍ନ ଥାନାରେ ୮ଟି ଏଭଳି ଠକେଇ ମାମଲା ରହିଥିବା କୁହାଯାଇଛି । ଅଭିଯୁକ୍ତ ଜୟ ସରାଫ୍ ଏଭଳି ନିରୀହ ବରିଷ୍ଟ ନାଗରିକ ମାନଙ୍କୁ ଠକି ହାତଉଥିବା ଟଙ୍କାରେ ସୁନା ରୂପା ଅଳଙ୍କାର କିଣି ନିଜ ପାଖରେ ରଖିଥିବା ମଧ୍ୟ ସୂଚନା ଦିଆଯାଇଛି । ଅଭିଯୁକ୍ତଙ୍କ ପାଖରୁ ନଗଦ ୪୧ ହଜାର ୬୮୫ ଟଙ୍କା, ଗୋଟିଏ ସୁନାର ମଙ୍ଗଳସୂତ୍ର, ଗୋଟିଏ ସୁନା ଚେନ୍, ୩ଟି ଏଟିଏମ୍ କାର୍ଡ, ଗୋଟିଏ ବୁଲେଟ୍ ଏବଂ ଅନ୍ୟ ଏକ ବାଇକ୍, ଗୋଟିଏ ମୋବାଇଲ୍ ଫୋନ୍ ସହ ଆହୁରି ଅନେକ ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରିଛି ବଲାଙ୍ଗିର ଟାଉନ୍ ପୋଲିସ ।