ନିମାପଡ଼ା : ଯେଉଁ କଲେଜର ପାଠ ପଢୁଥିଲେ ସେହି କଲେଜରୁ ଚୋରୀ କରି ଜଣେ ଛାତ୍ର ଗିରଫ ହୋଇ ଜେଲ ଯିବା ଘଟଣା ନିମାପଡା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ବଳଙ୍ଗା କଲେଜରୁ ଚୋରୀ ମାମଲାର ୮ଦିନ ନପୁରୁଣୁ ସୋମବାର ବିଳମ୍ବିତ ରାତିରେ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପରେ ଏମିତି ଘଟଣା ଏବେ ସାମ୍ନାକୁ ଆସିଛି । ଅଭିଯୁକ୍ତ ଜଣକ ମତଗଜପୁର ଗ୍ରାମର ରାକେଶ ବେହେରା (୧୯) ବଳଙ୍ଗା କଲେଜର ଯୁକ୍ତ ୨ର ଛାତ୍ର ବୋଲି ଜଣାପଡିଛି । ରାକେଶ ନିକଟରୁ ୩ଟି ସିସି କ୍ୟାମେରା,୩ଟି ସିଂଲି ଫ୍ୟାନ ସହ ଏକ ବଡ ଏଲଇଡି ଟିଭିକୁ ଜବତ କରାଯାଇଛି । ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବାରୁ ଖୁବ ଶିଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ରଶ୍ମିରଂଜନ ପୃଷ୍ଟି କହିଛନ୍ତି । ସୁଚନା ମୁତାବକ ଗତ ୧୬ ତାରିଖ ବିଳମ୍ବିତ ରାତିରେ କେତେକ ଦୁର୍ବୁତ ବଳଙ୍ଗା କଲେଜର ସାମ ଲାବରୋଟେରୀ ରୁମର ତାଲା ଭାଙ୍ଗି ଭିତରେ ପଶି ୨ଟି କମ୍ପ୍ୟୁଟର ସିଷ୍ଟମରେ ପାଣି ଢାଳିଦେବା ସହ ଆଲମିରାକୁ ଭାଙ୍ଗି ସେଥିରେ ଥିବା ଅନେକ ଗୁରୁତ୍ୱ ପୁର୍ଣ୍ଣ କାଗଜପତ୍ରକୁ ନଷ୍ଟ କରିଦେଇଥିଲେ । ସେହିଭଳି ରୁମବାହାରେ ଲାଗିଥିବା ୩ଟି ସିସିଟିଭି କ୍ୟାମେରା ଓ ଭିତରେ ଲାଗିଥିବା ୩ଟି ସିଲିଂ ଫ୍ୟାନକୁ ଚୋରୀ କରିଥିବା ନେଇ କଲେଜ ଅଧ୍ୟକ୍ଷ ପ୍ରଭାତ କୁମାର ସାହୁ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ୧୪୭/୨୩ରେ ଏକ ଚୋରୀ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରିରଖିଥିଲେ । ତଦନ୍ତ ସମୟରେ ଦୁର୍ବୁତ ମାନେ ଚୋରୀ କରୁଥିବା ସମୟରେ କିଛି ଦୁର୍ବୁତଙ୍କ ପଛପଟ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଯାଇଥିଲା । ପୁଲିସ ସିସିଟିଭି ଆଧାରରେ ତଦନ୍ତଜାରି ରଖିଥିବା ସମୟରେ ସୋମବାର ବିଳମ୍ବିତ ରାତିରେ ଥାନା ଅଧିକାରୀ ରଶ୍ମିରଂଜନ ପୃଷ୍ଟି ଓ ଥାନା ଏସ ଆଇ କେଦାରଚନ୍ଦ୍ର ଦୋରା,ସସ୍ମିତା ବେହେରାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବଳଙ୍ଗା ମତଗଜପୁର ଗ୍ରାମରେ ମୁଖ୍ୟ ଅଭିଯୁକ୍ତ ରାକେଶର ଘର ଉପରେ ଚଢାଉ କରିଥିଲେ । ଚଢାଉ ସମୟରେ ରାକେଶ ପୁଲିସକୁ ଚକମା ଦେଇ ଛାତ ଉପରୁ ତଳକୁ ଢେଇଁ ଖସିଯିବାକୁ ଚେଷ୍ଟା କରୁଥିବା ସମସୟରେ ଥାନା ଅଧିକାରୀ ଶ୍ରୀ ପୃଷ୍ଟି ତାକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଏହି ଘଟଣା ପରେ ଗ୍ରାମର ଅନ୍ୟ ୪ଜଣ ଅଭିଯୁକ୍ତ ମାନେ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ । ପରେ ରାକେଶ ନିକଟରୁ ସମସ୍ତ ଚୋରୀ ଜିନିଷ ଉଦ୍ଧାର କରାଯାଇଛି । ମଙ୍ଗଳବାର ଦିନ ଅଭିଯୁକ୍ତ ରାକେଶକୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିବା ବେଳେ ସେଠାରେ ତାର ଜାମିନ ନାମଂଜୁର ହୋଇଯିବାରୁ ତାକୁ ନିମାପଡା ଉପକାରାଗାରକୁ ପଠାଇ ଦିଆଯାଇଛି । ଅନ୍ୟପଟେ କଲେଜ ଅଧ୍ୟକ୍ଷଙ୍କୁ ଥାନାକୁ ଡକାଇ ସମସ୍ତ ଜବତ ସାମଗ୍ରୀକୁ ହସ୍ତାନ୍ତର କରିଛନ୍ତି ଥାନା ଅଧିକାରୀ ।