ପାଟଣା : ବିହାର ନାଳନ୍ଦାର ହିଲସା ରେଲୱେ ଷ୍ଟେସନ ନିକଟରେ ଶନିବାର ଏକ ବଡଧରଣର ଟ୍ରେନ ଦୁର୍ଘଟଣା ଟଳିଛି । ଏଠାରେ ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ସାମ୍ନାସାମ୍ନି ଆସିଯାଇଥିଲା । ତେବେ ଟ୍ରେନ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ତୁରନ୍ତ ଟ୍ରେନକୁ ଅଟକାଯାଇଥିଲା । ଫଳରେ ଅଘଟଣ ଟଳିଛି । ଷ୍ଟେସନ ମାଷ୍ଟରଙ୍କ ଖାମଖିଆଲି ମନୋଭାବ ଯୋଗୁ ଏଭଳି ହୋଇଥିବା ଜଣାପଡିଛି ।
ଶନିବାର ଦିନ ଇସ୍ଲାମପୁର ଯିବା ନିମନ୍ତେ ହିଲସା ରେଲୱେ ଷ୍ଟେସନର ଟ୍ରାକ ଉପରେ ମଗଧ ଏକ୍ସପ୍ରେସ ଠିଆ ହୋଇଥିଲା । ଏହାରି ଭିତରେ ଇସ୍ଲାମପୁର ପଟୁ ଏକ ମାଲଗାଡି ଆସି ହିଲସା ଷ୍ଟେସନରେ ପହଞ୍ଚିଥିଲା । ଗୋଟିଏ ଟ୍ରାକରେ ଦୁଇଟି ଯାକ ଗାଡି ଆସିବା କାରଣରୁ ଦୁଇଟି ଯାକ ଟ୍ରେନ ପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇଥିଲେ । ମାଲଗାଡିର ପାଇଲଟ ଟ୍ରେନର ବେଗ କମାଇ ଦେଇଥିଲେ । ଫଳରେ ଦୁଇଟି ଟ୍ରେନ ଧକ୍କା ହେବାରୁ ବର୍ତ୍ତି ଯାଇଥିଲା ।