ଭୁବନେଶ୍ୱର : ନବୀନଙ୍କ ଅପାରଗ ଓ ଭ୍ରଷ୍ଟାଚାର ସରକାର ବିରୋଧରେ ନବନିର୍ମାଣ ସ୍ୱରାଜ ସରକାରର ଆବାହକ ଅକ୍ଷୟ କୁମାର ଅଗଷ୍ଟ ୯ କ୍ରାନ୍ତି ଦିବସରୁ ଲୋୟର ପିଏମ୍ଜିରେ ଅନଶନ ଆରମ୍ଭ କରିଛନ୍ତି । ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଅନଶନରେ ବସି ପ୍ରାୟଶ୍ଚିତ ସପ୍ତାହ ପାଳନ କରାଯିବ ।
ବୁଧବାର ଗାନ୍ଧିମାର୍ଗରେ ବସିଥିବା ଅକ୍ଷୟ କୁମାର କହିଛନ୍ତି ଯେ, ଏବେ ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ୱ ସବୁଠାରୁ ଲମ୍ବା ଶାସନର ଗୌରବ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏହି ଲମ୍ବା ଶାସନରେ କେବଳ ଦୁର୍ନୀତି, ଭ୍ରଷ୍ଟାଚାର ଓ କୁଶାସନ ବ୍ୟତୀତ କିଛି ଆଉ ନୁହେଁ । ନବୀନଙ୍କ ଲମ୍ବା ଶାସନ ଲୋକଙ୍କ ପାଇଁ ପ୍ରଗତି ବଦଳରେ ଦୁର୍ଗତିକୁ ଡାକି ଆଣିଛି । ଖଣି, କୋଇଲା, ବକ୍ସାଇଟ୍, କ୍ରୋମରୁ ଆସୁଥିବା କୋଟି କୋଟି ଟଙ୍କା ୮୦ଭାଗ ଲୋକଙ୍କ କଲ୍ୟାଣରେ ଲାଗିବା ପରିବର୍ତ୍ତେ ଏହି ଅର୍ଥ ମହାଲୁଟ ହେଉଛି । ଖଣିଲୁଟର ସୀମା ୨ ଲକ୍ଷ କୋଟି ଟପିଛି, ମାତ୍ର ଜାଲିଆତି କରି ଏହି ଦୁର୍ନୀତିକୁ ୧୭ ହଜାର କୋଟି ଟଙ୍କାରେ କୋର୍ଟ ମାଧ୍ୟମରେ ସୀମିତ କରାଯାଇଛି । ସେହିଭଳି ନିଯୁକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ, ସବୁଥିରେ ସରକାର ପୁରା ପଟ୍ଟା ଫେଲ୍ ହୋଇଛି ।
କୁମାର କହିଛନ୍ତି ଯେ, ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ପାଇଲା ପରେ ନବୀନ ଓଡ଼ିଶାକୁ ଅବହେଳା କରି ଯେତିକି ଦୋଷୀ, ଆମେ ଏ କୁଶାସନ, ଅପାରଗ, ଭ୍ରଷ୍ଟାଚାରକୁ ସହ୍ୟ କରି ସମ ପରିମାଣରେ ଦୋଷୀ । ଏହି ପରିପ୍ରେକ୍ଷୀରେ ମୋର ପ୍ରାୟଶ୍ଚିତ ଅନଶନ । ବକ୍ତବ୍ୟସ୍ଥଳରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ସରକାରଙ୍କୁ ସମାଲୋଚନା କରିବା ସହ ତଳସ୍ତରରେ ନବନିର୍ମାଣ ସଂଗଠନ ତରଫରୁ ଲୋକଙ୍କ ଭିତରେ ଯେଉଁ ଜାଗରଣ ପର୍ବ ଆରମ୍ଭ କରାଯାଇଛି, ଏହି ପର୍ବ ତୃଣମୂଳରେ ଦାନା ଧରିଲେ ରାଜ୍ୟର ଭୋଟ ରାଜନୀତିରେ ଏହାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ । ଏହି ଅନଶନସ୍ଥଳରେ ସଂଗଠନର ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ରାଜ୍ୟ କମିଟି ସଭ୍ୟ ପ୍ରସନ୍ନ କୁଅଁର, ଡ. କୁଳମଣି, ଆଶ୍ରୟାନନ୍ଦ ସରସ୍ୱତୀ, ମୋ ଦଳର ଅଶୋକ ମହାନ୍ତି, କୃଷକ ନେତା ଅଜୁର୍ନ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । ଆସନ୍ତା ୧୧ ତାରିଖରେ ପ୍ରାୟଶ୍ଚିତ ସପ୍ତାହରେ ଅକ୍ଷୟ କୁମାରଙ୍କ ଅନଶନକୁ ସମର୍ଥନ ଜଣାଇ ୨୫ରୁ ଉର୍ଦ୍ଧ୍ୱ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଅନଶନରେ ବସିବେ ବୋଲି ସ୍ଥିର ହୋଇଛି ।