ଖୋର୍ଦ୍ଧା, ୭ ସେପ୍ଟେମ୍ବର- ଟଙ୍କା ମାଗିବାରୁ ନିଜର ବନ୍ଧୁକୁ ବିଅର ବୋତଲରେ ଆକ୍ରମଣ କରିଛି ବନ୍ଧୁ। ଫଳରେ ବନ୍ଧୁ ଜଣକ ଗୁରୁତର ଆହତ ହୋଇ ଟାଙ୍ଗୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ବରିକୋ ଗ୍ରାମର ଅର୍ଜୁନ ପଲାଇ (୪୫) ଗାଁରେ ମୁଲ ମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି। ଗତ କିଛି ଦିନ ତଳେ ସେ ନିଜର ଜଣେ ବନ୍ଧୁ ରବି ପଲାଇ ସହ ବାଣପୁର ଶାଳିଆ ଡ୍ୟାମରେ କାମ କରିବାକୁ ଯାଇଥିଲେ। କାମ ପରେ ରବି ପଲାଇ ସେଠାରୁ କାମ ବାବଦରେ ଆଣିଥିବା ମଜୁରୀ ପଇସା ଅର୍ଜୁନକୁ ଦେଇନଥିଲେ। ଫଳରେ ଅର୍ଜୁନ ତାଙ୍କୁ ମଜୁରି ପଇସା ବାରମ୍ବାର ମାଗିଥିଲେ। ତେବେ ଗତକାଲି ରାତିରେ ରବି ପଲାଇ ଗାଁ ଛକରେ ଛିଡା ହୋଇଥିବା ବେଳେ ଅର୍ଜୁନ ନିଜ ମଜୁରୀ ପଇସା ମାଗିଥିଲେ। ଏଥିରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତେଜିତ ହୋଇ ରବି ପଲାଇ ଅର୍ଜୁନ ପିଚାରେ ଏକ ବିଅର ବୋତଲ ଭାଙ୍ଗି ଭର୍ତ୍ତି କରିଦେଇଥିଲେ। ସେଠାରେ ଉପସ୍ଥିତ ଥିବା କିଛି ଲୋକେ ଉଦ୍ଧାର କରି ଅର୍ଜୁନଙ୍କୁ ଚିକିତ୍ସା ପାଇଁ ଟାଙ୍ଗୀ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ତେବେ ଅର୍ଜୁନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯାଇଛି। ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।