ଭୁବନେଶ୍ୱର : ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଓ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ପରେ ଏବେ ସୋସିଆଲ ମିଡିଆରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ କିଏ ସେହି ରହସ୍ୟମୟୀ ମହିଳା ବୋଲି ପ୍ରଶ୍ନ କରିଛନ୍ତି ।
ସେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରି ଅପରାଜିତା ଲେଖିଛନ୍ତି, ବର୍ତମାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ନିକଟସ୍ଥ ଅଧିକାରୀ ମାନଙ୍କ ଶାସନ ପ୍ରଶାସନ ଅତ୍ୟନ୍ତ କୌତୁହଳପ୍ରଦ, ରୋମାଞ୍ଚକ ଏବଂ ହାସ୍ୟାସ୍ପଦ ହୋଇସାରିଛି I
ମୁଖ୍ୟମନ୍ତ୍ରୀ ରୋମ ଯାଉଛନ୍ତି, ଟୋକିଓ ଯାଉଛନ୍ତି କିନ୍ତୁ ରାଜ୍ୟବାସୀଙ୍କ ସହ ମିଶିବା ପାଇଁ ନିଜର ବ୍ୟକ୍ତିଗତ ସଚିବଙ୍କୁ ଲଗାଇଛନ୍ତି ଯାହା ସ୍ୱାଧୀନ ଭାରତ ଇତିହାସର ଗଣତନ୍ତ୍ର ଶାସନରେ ଏଭଳି ଦେଖାଯାଇନାହିଁ I କୌଣସି ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ନିଜର ପ୍ରତିନିଧି ଭାବେ ଜଣେ ସରକାରୀ କର୍ମଚାରୀଙ୍କୁ ଜନସାଧାରଣ କାମର ଦାୟିତ୍ୱ ଦେବା ସ୍ୱାଧୀନ ଭାରତରେ ମୁଁ ଆଜି ପର୍ଯ୍ୟନ୍ତ ଦେଖିନାହିଁ I
ଯେତେବେଳେ ଜନତା ପଚାରୁଛନ୍ତି ୩୦ କିଲୋମିଟର ଯିବା ପାଇଁ ହେଲିକାପ୍ଟର କଣ ଦରକାର ଏହାର କୌଣସି ଉତ୍ତର ଦିଆଯାଉନାହିଁ ବୋଲି ସେ କହିଛନ୍ତି ।
ସେ କହିଛନ୍ତି, ଯେତେବେଳେ ଜନସାଧାରଣ ପଚାରୁଛନ୍ତି ଆମ ଦ୍ୱାରା ନିର୍ବାଚିତ ପ୍ରତିନିଧି ମାନେ ସରକାରୀ କର୍ମଚାରୀଙ୍କ ପାଇଁ କାହିଁକି ଟେଣ୍ଟ ବାନ୍ଧିବେ ଏବଂ ଚେୟାର ପକାଇବେ ଭିଡ ଏକାଠି କରିବେ ଏହାର କୌଣସି ଉତ୍ତର ଦିଆଯାଉନାହିଁ I
ସେ କହିଛନ୍ତି, ଯେତେବେଳେ ଜନସାଧାରଣ ପଚାରୁଛନ୍ତି ୨୪ ବର୍ଷର ସ୍ୱର୍ଣ୍ଣିମ ଶାସନ ପରେ ୫୬୦୦୦ ହଜାର ଅଭିଯୋଗ କାହିଁକି ଏହାର କୌଣସି ଉତ୍ତର ଦିଆଯାଉନାହିଁ I
ଜନସାଧାରଣ ଜାଣିବାକୁ ଚାହୁଁଛନ୍ତି କି ରାଜ୍ୟରେ ନିୟମିତ ଭାବେ ହେବାକୁ ଥିବା ଜଣ ଅଭିଯୋଗ ଶୁଣାଣି ବ୍ୟବସ୍ତା ସମ୍ପୂର୍ଣ ଅଚଳ ହୋଇଛି କାହିଁକି ? ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି ଯେ ସିଏମଓ ତାଙ୍କ ନିର୍ଦେଶରେ ଜିଲ୍ଲା ପରିଦର୍ଶନ କରିଛି I ଭାରତରେ ଏକମାତ୍ର ମୁଖ୍ୟମନ୍ତ୍ରୀ ଯାହାର କାର୍ଯ୍ୟାଳୟ ହେଉଛି କେବଳ ଜଣେ ନିମ୍ନ ପଦସ୍ଥ ସଚିବ ସ୍ତରର ସରକାରୀ କର୍ମଚାରୀ I ଯାହା ସ୍ୱାଧୀନ ଭାରତର ଇତିହାସ ଏବଂ ବର୍ତମାନ ସମ୍ପୂର୍ଣ ବିରଳ ,ଏହାର କୌଣସି ଉତ୍ତର ଦିଆଯାଉନାହିଁ ବୋଲି ସେ କହିଛନ୍ତି ।
ସେ କହିଛନ୍ତି, ବର୍ତମାନ ଓଡ଼ିଶାରେ ହେଉଥିବା ସମସ୍ତ ଠିକା କାମକୁ ସୁଚିନ୍ତିତ ଭାବେ ଅଣଓଡ଼ିଆ କଣ୍ଟ୍ରାକ୍ଟରକୁ ଦିଆଯାଉଛି I ଓଡ଼ିଆ କଣ୍ଟ୍ରାକ୍ଟର ବ୍ୟବସାୟୀ ବ୍ୟାପକ କ୍ଷତିଗ୍ରସ୍ତ ହେଉଛନ୍ତି ଏହାର କାରଣ କଣ ଏହାର କୌଣସି ଉତ୍ତର ଦିଆଯାଉନାହିଁ I
ଜନସାଧାରଣ ପଚାରୁଛନ୍ତି କାହିଁକି ହତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ବାଣ୍ଟିବାରେ ବହୁତ ବିଳମ୍ୱ ହେଉଛି, ଏହାର କୌଣସି ଉତ୍ତର ଦିଆଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
କାହିଁକି ଖଣି କ୍ଷେତ୍ରରେ ଉଚ୍ଚମାନର ଲୁହା ଏବଂ ମାଙ୍ଗାନିଜ ପଥରର ମାନକୁ ଅତ୍ୟନ୍ତ ନିମ୍ନ ମାନର ଦେଖାଯାଉଛି ଯାହାଦ୍ୱାରା ବ୍ୟାପକ ରାଜସ୍ବ ହାନି ଏବଂ ଜିଲ୍ଲା ଖଣିଜ ପାଣ୍ଠି କ୍ଷତିଗ୍ରସ୍ତ ହେଉଛି, ଏହାର କୌଣସି ଉତ୍ତର ଦିଆଯାଉନାହିଁ ବୋଲି ସେ ପଚାରିଛନ୍ତି ।
ରାଜଧାନୀର ଅନତି ଦୂରରେ ଜଣେ ପ୍ରଭାବଶାଳୀ ମହିଳା ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ ବଳପୂର୍ବକ ଭାବେ ଜଙ୍ଗଲ ଜମି, ସରକାରୀ ଜମି, ମନ୍ଦିର ଜମୀ ଏବଂ କେନାଲ ଜମି , ବିଭିନ୍ନ ଲୋକଙ୍କ ବ୍ୟକ୍ତିଗତ ଜମି ମାଡ଼ିବସିଛନ୍ତି ଏବଂ ୩୦୦ ଏକର ଚାଷଜମିକୁ ବିଗତ ୨ ବର୍ଷ ହେବ ଜଳସେଚନ କେନାଲକୁ ବଳପୂର୍ବକ ପୋତିଛନ୍ତି I ସରକାରଙ୍କ ସହଯୋଗ ଏବଂ ସଂରକ୍ଷଣ ସମ୍ପୂର୍ଣ ସ୍ପଷ୍ଟ ହେଉଥିଲେ ମଧ୍ୟ ଏହାର କୌଣସି ଉତ୍ତର ଦିଆଯାଉନାହିଁ I
ଯେତେବେଳେ ବିରୋଧୀଦଳ ନେତା ଶ୍ରୀ ଜୟ ନାରାୟଣ ମିଶ୍ର ଏବଂ ସାଂସଦ ବସନ୍ତ ପଣ୍ଡା ଏକ ନିର୍ଦ୍ଧିଷ୍ଟ ରହସ୍ୟମୟୀ ମହିଳାଙ୍କ ବିଷୟରେ କହିଥିଲେ ଯିଏ ମୁଖ୍ୟମନ୍ତ୍ରୀଙ୍କ ସହ ଭାଟିକାନ ଯାଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବାଧ ପ୍ରବେଶ କରୁଛନ୍ତି କାହିଁକି I ଏହାର କୌଣସି ଉତ୍ତର ଦେବା ପରିବର୍ତେ ଦଳୀୟ ପ୍ରବକ୍ତା ମାନେ ବିରୋଧୀ ଦଳ ନେତାମାନଙ୍କୁ ପାଗଳ ବୋଲି କହୁଛନ୍ତି ଏବଂ ଏହାର କୌଣସି ଉତ୍ତର ଦିଆଯାଉନାହିଁ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଗଣମାଧ୍ୟମ ଦ୍ୱାରା ପ୍ରକାଶ ପାଉଛି ଯେ ନିର୍ଦ୍ଧିଷ୍ଟ ରହସ୍ୟମୟୀ ମହିଳା ହେଉଛନ୍ତି ଜଣେ ନର୍ସ ବା ଥେରାପିସ୍ଟି ଅଟନ୍ତି I ଯଦି ଏହା ସତ୍ୟ ହୋଇଥାଏ ଏହା ଅତ୍ୟନ୍ତ ସଂଗୀନ ଏବଂ ଚିନ୍ତାଜନକ ବିଷୟ I ଓଡିଶା ପରି ଗୁରୁତ୍ୱପୂର୍ଣ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ଗୁପ୍ତ ଘରୋଇ ବ୍ୟବସ୍ତା ଉପରେ ଛାଡ଼ିଦେବା ଉଚିତ ନୁହେଁ I ଏହି ଗୁପ୍ତ ଚିକିତ୍ସା ନିର୍ଦ୍ଧିଷ୍ଟ ରହସ୍ୟମୟୀ ମହିଳାଙ୍କ ଦ୍ୱାରା କରାଯାଉଛି କି ? ଏହି ରହସ୍ୟମୟୀ ମହିଳାଙ୍କୁ ଚିକତ୍ସା ପାଇଁ କିଏ ଚୟନ କରିଛି ? ରହସ୍ୟମୟୀ ମହିଳା କେଉଁ ପ୍ରକାର ଚିକିତ୍ସା କରୁଛନ୍ତି ?
ଉଦେଶ୍ୟମୂଳକ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ନେତା ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କ ଠାରୁ ଦୂରରେ ରଖାଯାଇଛି କି ? ଶେଷଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସିଧା ସଳଖ ବ୍ୟକ୍ତିଗତ ଭାବେ ମୁଖ୍ୟ ଶାସନ ସଚିବ ଏବଂ ଉନୟନ ଆୟୁକ୍ତ କେବେ ଭେଟିଥିଲେ ? ରାଜ୍ୟର ଗୁଇନ୍ଦା ତଥ୍ୟ କିଏ ମୁଖ୍ୟମନ୍ତ୍ରୀଙ୍କୁ ଦେଉଛି ? ରାଜ୍ୟରେ କଣ ଘଟୁଛି ମୁଖ୍ୟମନ୍ତ୍ରୀ ଜାଣୁଛନ୍ତି ତ ବୋଲି ସେ ପ୍ରଶ୍ନ କରିଛନ୍ତି ।
ରାଜ୍ୟ ବାସୀଙ୍କୁ ଏ ସମସ୍ତ ବିଷୟର ସ୍ପଷ୍ଟ ଉତ୍ତର ଆବଶ୍ୟକ I କୌଣସି ପ୍ରଶ୍ନର ଉତ୍ତର ନଦେଇ ବାରମ୍ବାର ବିଧାନସଭା ମୁଲତବୀ କରିବା ଟାଳ ଟୁଳ ନୀତିରେ ପଳାୟନ କରିବା ଦୁର୍ବଳତାର ପରିଚୟ ଏହା କେତେ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ସେ ପଚାରିଛନ୍ତି ।