ନୂଆଦିଲ୍ଲୀ : ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ସମୟରେ ବିରୋଧୀଙ୍କ କକ୍ଷତ୍ୟାଗକୁ ସମାଲୋଚନା କରିଛି ବିଜେପି । ଗୁରୁବାର ଲୋକସଭାରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବୃତି ରଖିଥିଲେ । ତେବେ ମୋଦିଙ୍କ ଭାଷଣ ସମୟରେ ବିରୋଧୀ ଦଳର ସଦସ୍ୟ କକ୍ଷ ତ୍ୟାଗ କରିଥିବାରୁ ବିରୋଧୀଙ୍କୁ ସମାଲୋଚନା କରିଛି ବିଜେପି ।
କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଶୁକ୍ରବାର କହିଛନ୍ତି ଯେ, ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀ ଆଇନା ଦେଖାଇଥିଲେ । ପୂର୍ବୋତ୍ତରରେ କଂଗ୍ରେସକୁ ତାର କଳା ଇତିହାସ ଦେଖାଇଥିଲେ ପ୍ରଧାନମନ୍ତ୍ରୀ । ପୂର୍ବୋତ୍ତର ଓ ମଣିପୁର ପାଇଁ ପ୍ରଧାନମନ୍ତ୍ରୀଙ୍କର ଥିବା ସଂକଳ୍ପ ଓ ପ୍ରେମକୁ ଦେଖି କଂଗ୍ରେସ ସେଠାରୁ ପଳାଇଥିଲା । ଅହଂକାରକୁ ନେଇ ତିଆରି ହୋଇଥିବା ଏହି ମେଣ୍ଟ କଣ କରିପାରେ ତାହା ଏଥିରୁ ଜଳଜଳ ଦେଖାଯାଉଥିବା କହି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
କଂଗ୍ରେସ ଆଣିଥିବା ନିଜ ଅଭିଯୋଗର ସତ୍ୟତାକୁ ଶୁଣିପାରିଲା ନାହିଁ । ଏପରିକି ନିଜର ଅହଂକାର ପାଇଁ ସେମାନେ ନିଜ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ କଥା ମଧ୍ୟ କୁହାଇ ଦେଲେନାହିଁ । ଆମେ ତାଙ୍କୁ କହିବାକୁ ସୁଯୋଗ ଦେଇଥିଲେ ମଧ୍ୟ ସେମାନେ ଏହାକୁ ଭଣ୍ଡ କରିପକାଇଥିଲେ କହି କଂଗ୍ରେସକୁ ନିଶାନା ସାଧିଛନ୍ତି ଅନୁରାଗ ଠାକୁର ।