
The Union Minister for Information & Broadcasting, Youth Affairs and Sports, Shri Anurag Singh Thakur addressing the felicitation ceremony for the Medalists of 19th Asian Games 2022, in New Delhi on September 28, 2023.
ନୂଆଦିଲ୍ଲୀ : କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇ ଭାରତ ଫେରିଥିବା କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ନୂଆଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସୁଟିଂ, ରୋଇଂ ଓ ମହିଳା କ୍ରିକେଟ ଦଳର ମୋଟ ୨୭ ଜଣ ଖେଳାଳୀଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ମହିଳା କ୍ରିକେଟ୍ ଦଳ ଏହି ପ୍ରତିଯୋଗିତାରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ରୋଇଂରୁ ମୋଟ ୫ ପଦକ (୨ ରୌପ୍ୟ, ୩ କାଂସ୍ୟ) ଜିତିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକାଂଶ ପଦକ ସୁଟିଂରୁ ଆସିଛି। ଭାରତର ରାଇଫଲ, ସଟଗନ୍ ଏବଂ ପିସ୍ତଲ ଦଳ ୧୩ ପଦକ (୪ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ୫ କାଂସ୍ୟ) ଜିତିଛନ୍ତି।
ଏସୀୟ କ୍ରୀଡ଼ାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ‘‘ମୁଁ ସମସ୍ତ ଆଥଲେଟ୍ ଓ ପ୍ରଶିକ୍ଷକଙ୍କୁ ଅଭିନନ୍ଦନ ଜଣାଉଛି। ଏହି ସଫଳତା ପାଇଁ ସେମାନଙ୍କୁ ବର୍ଷ ବର୍ଷ ପରିଶ୍ରମ କରିବାକୁ ପଡ଼ିଛି। ଆପଣ ଦେଖିପାରନ୍ତି ଯେ ଏହି ଇତିହାସ ସୃଷ୍ଟିକାରୀ ରୋଇଂ ଖେଳାଳୀମାନେ ଯେଉଁ ଅଞ୍ଚଳର ଅଟନ୍ତି, ସେଠାରେ ପାଣିର ଅଭାବ ଥାଇପାରେ, କିନ୍ତୁ ସେମାନେ ଏକ ଜଳ କ୍ରୀଡ଼ା ଇଭେଣ୍ଟରେ ପଦକ ଜିତିଛନ୍ତି । ଅଶ୍ୱାରୋହଣରେ ମଧ୍ୟ ଆମେ ଐତିହାସିକ ସ୍ୱର୍ଣ୍ଣ ପାଇଛୁ’’, ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।
‘‘ସୁଟିଂରେ ଆମେ ଆମର ଉତ୍ସାହ ଓ ଦୃଢ଼ତା ଦେଖିଥିଲୁ। ମହିଳା ୫୦ ମିଟର ରାଇଫଲ ଥ୍ରୀପି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ଟପ୍ସ ଆଥଲେଟ୍ ସିଫତ କୌର ସାମରାଙ୍କ ଠାରୁ ଆରମ୍ଭ କରି ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଥିବା ଖେଲୋ ଇଣ୍ଡିଆ ଆଥଲେଟ୍ ରୁଦ୍ରାଂଶ ପାଟିଲଙ୍କ ପର୍ଯ୍ୟନ୍ତ ଆମର ସମସ୍ତ ଶୁଟରମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି’’, ବୋଲି ଶ୍ରୀ ଠାକୁର କହିଛନ୍ତି।
ଗୁରୁବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଅଧିକାରୀଙ୍କ ସମେତ ଖେଳାଳିଙ୍କ ପରିବାର ଓ ବନ୍ଧୁମାନେ ଯୋଗ ଦେଇଥିଲେ।