ଭୁବନେଶ୍ୱର : ମେଡିକାଲ ଅଧିକାରୀଙ୍କ ଛୁଟି ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଏଣିକି ସରକାରୀ ଛୁଟି ଦିନରେ କାମ କଲେ ଡାକ୍ତରଙ୍କୁ ବିକଳ୍ପ ଭାବେ ମିଳିବ ଛୁଟି । ସେହି ମାସର ଯେକୌଣସି ଦିନ ଛୁଟି ନେଇପାରିବେ । ମେଡିକାଲ ଅଧୀକ୍ଷକ ଓ ଇନ୍ ଚାର୍ଜ ବିକଳ୍ପ ଛୁଟି ବ୍ୟବସ୍ଥା କରିବେ । ଏହା ବ୍ୟତୀତ ସ୍ୱାସ୍ଥ୍ୟ ସେବା ଯେଭଳି ବ୍ୟାହାତ ନହୁଏ ସେଥିପାଇଁ ରୋଷ୍ଟର ବ୍ୟବସ୍ଥା କରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ବିଭାଗୀୟ ସଚିବ ଶାଲିନୀ ପଣ୍ଡିତ ସମସ୍ତ ଜିଲ୍ଲାର ମେଡିକାଲ ଅଫିସର , ଜନସ୍ୱାସ୍ଥ୍ୟ ଅଧିକାରୀ, ସବ ଡିଭିଜନ , ସିଏଚସି ସମେତ ରାଉରକେଲା ସରକାରୀ ଡାକ୍ତରଖାନା, କ୍ୟାପିଟାଲ ହସ୍ପିଟାଲ ଓ ବିଏମସି ହସ୍ପିଟାଲର ନିର୍ଦ୍ଦେଶକମାନଙ୍କୁ ଗାଇଡ୍ ଲାଇନ୍ ଜାରି କରିଛନ୍ତି ।
ଗାଇଡ୍ ଲାଇନ୍ ରେ ଜଣାଇଦିଆଯାଇଛି ଯେ ବିକଳ୍ପ ଛୁଟି କାଜୁଆଲ ଲିଭ୍ କିମ୍ବା ଅର୍ନଡ୍ ଲିଭ୍ ସହ ମିଶି ପାରିବନାହିଁ । ପ୍ରତି ମାସର ବିକଳ୍ପ ଛୁଟି ପରବର୍ତୀ ମାସରେ ଗ୍ରହଣୀୟ ହେବ ନାହିଁ । ତେବେ ମାସର ଶେଷ ସପ୍ତାହରେ ସରକାରୀ ଛୁଟି ପଡୁଥିଲେ ତାହା ପର ମାସରେ ଗ୍ରହଣ କରାଯାଇପାରିବ ।