ଭୁବନେଶ୍ୱର : ରାଜ୍ୟରେ ବରିଷ୍ଠ ନାଗରିକ ମାନଙ୍କ ଦିଆଯାଉଥିବା ଭତା ରାଶି ବୃଦ୍ଧି କରିବାକୁ ନବନିର୍ମାଣ ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଦାବି କରିଛନ୍ତି । ଖୁବ ଶୀଘ୍ର ୫୩ ଲକ୍ଷ ପ୍ରଚାର ପତ୍ର ଛପାଯାଇ ପ୍ରତ୍ୟେକ ଭତାଧାରୀଙ୍କୁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସରକାର ସେମାନଙ୍କୁ କିଭଳି ଅବହେଳା ଓ ଅତ୍ୟାଚାର କରୁଛନ୍ତି ଏ ନେଇ ଘର ଘର ବୁଲି ଅବଗତ କରାଯିବ ବୋଲି ଶ୍ରୀ ନନ୍ଦ କହିଛନ୍ତି । ସେହିପରି ବିଧାୟକମାନେ ଯେଉଁଠି ଭତା ବାଂଟିବେ, ସେଠାରେ ଅନ୍ୟ ରାଜ୍ୟର ତୁଳନାତ୍ମକ ଭତା ପରିମାଣର ପ୍ରଚାର ପତ୍ର ବଂଟନ କରାଯିବ ବୋଲି ଶ୍ରୀ ନନ୍ଦ କହିଛନ୍ତି ।
ଭାରତବର୍ଷରେ ଅଧିକାଂଶ ରାଜ୍ୟ ତେଲେଙ୍ଗାନା, ଦିଲ୍ଲୀ, ଗୋଆ, ହରିୟାଣା, ପଞ୍ଜାବ ଭଳି ରାଜ୍ୟ ନିଜ ଅର୍ଥରେ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗମାନଙ୍କୁ ୧୫ଶହରୁ ୨ ହଜାର ଲେଖାଏଁ ଭତା ଦେଉଛନ୍ତି । ଆମ ପଡ଼ିଶା ଆନ୍ଧ୍ରପ୍ରଦେଶରେ ବାର୍ଦ୍ଧକ୍ୟ ଭତାର ପରିମାଣ ୨୭୫୦ ଟଙ୍କା, ଆନ୍ଧ୍ର ସରକାରଙ୍କର ଆର୍ଥିକ ସ୍ଥିତି ସଙ୍ଗୀନ ଥାଇ ବରିଷ୍ଠ ବୃଦ୍ଧବୃଦ୍ଧାଙ୍କୁ ୨୭୫୦ ଟଙ୍କା ଦେଉଛନ୍ତି । ମାତ୍ର ଓଡ଼ିଶା ଭଳି ସମ୍ବଳଯୁକ୍ତ ରାଜ୍ୟରେ ଭତା ପରିମାଣ ୫୦୦/୭୦୦/୯୦୦ ଭିତର ସୀମିତ ରହିଛି । ୫-ଟି ସଚିବ ପାଣ୍ଡିୟାନ ପ୍ରତିଦିନ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ଘୋଷଣା କଲାବେଳେ ବାର୍ଦ୍ଧକ୍ୟ ଭତାଧାରୀ ମାନଙ୍କ ସର୍ବନିମ୍ନ ମୌଳିକ ଆବଶ୍ୟକତା ଓ ମାନବିକତା ପ୍ରତି ଆଖି ବୁଜି ଦିଆଯାଇଛି । ବିଗତ ବିଧାନସଭା ଅଧିବେଶନରେ ବାର୍ଦ୍ଧକ୍ୟ ଭତା ବୃଦ୍ଧି ପାଇଁ ବିଭିନ୍ନ ଦଳର ବିଧାୟକମାନେ ଦାବି କରିଥିଲେ ହେଁ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ଏବେ ଭତା ରାଶି ବୃଦ୍ଧି ହେବାର ନାହିଁ ବୋଲି ରୋକଠୋକ ମନା କରିଥିଲେ । ପଡ଼ିଶା ରାଜ୍ୟମାନଙ୍କରେ ଭତା ପରିମାଣ ବିଶେଷ କରି ଆନ୍ଧ୍ରରେ ଆମ ଠାରୁ ୫ ଗୁଣ ଅର୍ଥ ଭତାଧାରୀଙ୍କୁ ଦିଆ ଯାଉଥିବା ବେଳେ ଓଡ଼ିଶାରେ ନଗଣ୍ୟ ମାତ୍ର ୫ଶହ ଟଙ୍କା ଦିଆଯାଉଛି । ଏହାକୁ ନେଇ ନବନିର୍ମାଣ କୃଷକ ସଂଗଠନ ତରଫରୁ ଭତ୍ତା ପରିମାଣ ୨ ହଜାର ଟଙ୍କା କରିବା ପାଇଁ ବଡ଼ମ୍ବା, ଭାପୁର, ଓଡ଼ପଡ଼ା, ଖଣ୍ଡପଡ଼ା, କୁଜଙ୍ଗ ଭଳି ଅଞ୍ଚଳରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ନେତୃତ୍ୱରେ ଶୋଭାଯାତ୍ରା କରାଯାଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦିଆଯାଇଛି ।