ଗଞ୍ଜାମ ମଝି ସମୁଦ୍ରରୁ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀର ୫ ଜଣ ମତ୍ସ୍ୟଜିବୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ୧୯ ଜଣ ମତ୍ସ୍ୟଜିବୀ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣ ମତ୍ସ୍ୟଜିବୀଙ୍କୁ ଟ୍ରଲରରେ ମାଛ ଧରୁଥିବା ଆନ୍ଧ୍ରର ମତ୍ସ୍ୟଜିବୀ ମାନେ ଧରିନେଇଥିବା ନେଇ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ ଦାୟର୍ ହୋଇଛି । ଏତଲାକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି ।
ସାନଆର୍ଯ୍ୟପଲ୍ଲୀ ଗ୍ରାମର ଏନ. କାମେୟା ଏବଂ ୱାଇ. ମୋହନଙ୍କ ଦୁଇଟି ଡ଼ଙ୍ଗାରେ ୧୯ ଜଣ ମତ୍ସ୍ୟଜିବୀ ମାଛ ମାରିବାକୁ ସମୁଦ୍ରକୁ ଯାଇଥିଲେ । ସମୁଦ୍ର ଭିତରେ ନୋ ଫିସିଂ ଜୋନ୍ ରେ ଆନ୍ଧ୍ରର କେତେକ ମତ୍ସ୍ୟଜିବୀ ବେଆଇନ ଭାବେ ମାଛ ଧରୁଥିବାରୁ ଆର୍ଯ୍ୟପଲ୍ଲୀ ଅଂଚଳର ମତ୍ସ୍ୟଜିବୀ ମାନେ ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ଉଭୟ ଗୋଷ୍ଠି ମଧ୍ୟରେ ବଚସା ପରେ ଆନ୍ଧ୍ରର ମତ୍ସ୍ୟଜିବୀ ସାନ ଆର୍ଯ୍ୟପଲ୍ଲୀର ୫ ଜଣ ମତ୍ସ୍ୟଜିବୀଙ୍କୁ ଜୋରଜବରଦସ୍ତ ସେମାନଙ୍କ ଟ୍ରଲରରେ ଅପହରଣ କରିନେଇଥିବା ପରିବାର ପକ୍ଷରୁ ସାମୁଦ୍ରିକ ଥାନାରେ ଅଭିଯୋଗ ହୋଇଛି । ଅପହୃତ ୫ ମତ୍ସ୍ୟଜିବୀ ହେଲେ କେ. ବାବାଜୀ, ଏନ. କାମେୟା, ବି. ମୋହନ, ଜି. ଏରେୟା ଏବଂ ଜି. କାଙ୍ଗାଳି । ୧୯ ଜଣ ମତ୍ସ୍ୟଜିବୀଙ୍କ ମଧ୍ୟରୁ ପ୍ରଥମେ ୧୦ ଜଣ ମତ୍ସ୍ୟଜିବୀ ଫେରି ଆସିଥିବା ବେଳେ ଅପହରଣ ହୋଇଥିବା ମତ୍ସ୍ୟଜିବୀ ମାନଙ୍କୁ ଖୋଜି ନିରାଶ ହୋଇ ଆଉ ଏକ ଡ଼ଙ୍ଗାରେ ୪ ଜଣ ମତ୍ସ୍ୟଜିବୀ ସୁରକ୍ଷିତ ଅବସ୍ଥାରେ ଫେରିଛନ୍ତି । ଅପହରଣ ହୋଇଥିବା ୫ ଜଣ ମତ୍ସ୍ୟଜିବୀଙ୍କୁ ଉଦ୍ଧାର କରିବା ପାଇଁ ମତ୍ସ୍ୟଜିବୀ ନେତା ଏନ. ଦିନବନ୍ଧୁ ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି ।