କନ୍ଧମାଳ : ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକଙ୍କ ଅବହେଳା ଯୋଗୁଁ ହଷ୍ଟେଲରେ ରହି ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରଙ୍କ ଅକାଳ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାଟାଗୁଡ଼ା ମଙ୍ଗଳ ବିଭାଗ ପରିଚାଳିତ ହଷ୍ଟେଲରେ। ମୃତ ଛାତ୍ର ଜଣକ ସତ୍ୟାନନ୍ଦ ନାୟକ। ଶନିବାର ମଧ୍ୟାହ୍ନରେ ସତ୍ୟାନନ୍ଦ ହଠାତ୍ ଅସୁସ୍ଥ ହୋଇ ପଡିବା ପରେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବାଲିଗୁଡ଼ା ଡାକ୍ତରଖାନାକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ମୃତ ଛାତ୍ରଙ୍କ ଘର କୋଟଗଡ ବ୍ଲକ ଓରା କଲୋନୀ ସାହିରେ। ସେ ବାପା ମା ଙ୍କ ଏକ ମାତ୍ର ପୁଅ ହୋଇଥିବାରୁ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ପୂର୍ବରୁ ସତ୍ୟାନନ୍ଦ ଭଲ ଥିଲେ ହେଲେ ହଠାତ୍ ତାଙ୍କର ମୃତ୍ୟୁ ହେଲା କିପରି ବାପାମା ଆଶ୍ଚର୍ୟ୍ଯ ହୋଇଯାଇଛନ୍ତି। ଏ ନେଇ ପ୍ରଧାନ ଶିକ୍ଷୟତ୍ରୀ ପଦ୍ମିନୀ ପ୍ରଧାନଙ୍କୁ ପଚାରିବାର ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ। ଏ ବିଷୟରେ ଖବର ପାଇ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରି ଶ୍ରୀ ମଲିକ ସ୍କୁଲରେ ପହଞ୍ଚି କାହିଁକି ଓ କେଉଁ ପରିସ୍ଥିତିରେ ଛାତ୍ରର ମୃତ୍ୟୁ ଘଟିଲା ତାର ତଦନ୍ତ କରୁଛନ୍ତି। ତେବେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବହେଳା ଯୋଗୁଁ ନୀରିହ ଛାତ୍ରର ମୃତ୍ୟୁ ଘଟିଲା ବୋଲି ପରିବାର ଲୋକେ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜିଲାରେ ଥିବା ଅନେକ ମଙ୍ଗଳ ବିଭାଗ ସେବାଶ୍ରମ ଗୁଡିକରେ ନିମ୍ନ ମାନର ଖାଦ୍ୟ, ଅପରିଷ୍କାର ପରିବେଶ, ଦୂଷିତ ପାଣି ବ୍ୟବହାର ସାଙ୍ଗକୁ କର୍ତୁପକ୍ଷଙ୍କ ଅବହେଳା ଯୋଗୁଁ ଅନେକ ଛାତ୍ର ଛାତ୍ରୀଙ୍କ ଅକାଳରେ ଜୀବନ ଯାଉଛି । ଏଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି।