ସମ୍ବଲପୁର : ଦୁର୍ବଳ ଶ୍ରେଣୀ ବ୍ୟକ୍ତି ବିଶେଷଙ୍କ ଯଦି କୌଣସି ଠାରେ ମୂଲ୍ୟବାନ ଜମିଜମା ରହିଛି ତେବେ ତାକୁ କଳେ ବଳେ ନତୁବା କୌଶଳେ ହଡ଼ପ କରିବା ଆଜିକାଲିର ତଥାକଥିତ କିଛି ମାଫିଆଙ୍କ ଏକ ନିତିଦିନିଆ କାମରେ ପରିଣତ ହୋଇଯାଇଛି । ଏପରିକି ଜନୈକ ଜମି ମାଲିକ ମୃତ୍ୟୁବରଣ କରିବା ପରେ ତାଙ୍କ ପରିବାର ଲୋକେ ଆର୍ଥିକସ୍ଥିତି ପାଇଁ ଏକ ଜମି ବିକିବା ମସୁଧା କଲା ବେଳକୁ ଜନୈକ ଧୂର୍ତ୍ତ ଶ୍ରେଣୀର ବ୍ୟକ୍ତି ନିଜର ନକଲି ପ୍ରମାଣପତ୍ର ଆଧାରରେ ଉକ୍ତ ଜମି ବିକ୍ରୀ କରିଦେଇଥିବା ଭଳି ଚାଞ୍ଚଲ୍ୟକର ଖବର ଏବେ ସମ୍ବଲପୁର ସହରରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନାନୂଯାୟୀ, ବୁଢ଼ାରଜା ଅଞ୍ଚଳର ଏକ ବହୁମୂଲ୍ୟ ଜମିକୁ ଜନୈକ ବ୍ୟକ୍ତି ନିଜର ନକଲି ପରିଚୟ ପତ୍ର ମାଧ୍ୟମରେ ବିକ୍ରି କରିଥିବା ଅଭିଯୋଗ ସଂପ୍ରତି ସରକାରଙ୍କ ଜମିଜମା ବିକ୍ରି ଡିଜିଟାଲ ବ୍ୟବସ୍ଥା ପ୍ରତି ଉପହାସ ସୃଷ୍ଟି କରାଇଛି । ବୁଢ଼ାରଜା ଅଞ୍ଚଳରେ ବିନୋଦ ଗୁପ୍ତା ନାମକ ଜନୈକ ବ୍ୟକ୍ତିଙ୍କର ୨୧ ଡିସିମିଲ ପରିମିତ ଏକ ମୂଲ୍ୟବାନ ଜମି ରହିଛି । ଗତ ୨୦୦୧ ଫେବୃଆରୀ ୨ ତାରିଖରେ ବାର୍ଦ୍ଧକ୍ୟଜନିତ କାରଣରୁ ବିନୋଦଙ୍କ ମୃତ୍ୟୁ ଘଟିଥିଲା । ବିନୋଦଙ୍କ ମୃତ୍ୟୁ ପରେ ତାଙ୍କ ସାନ ଭାଇ ମୁରାରୀ କୁମାର ଗୁପ୍ତା ଉକ୍ତ ଜମିକୁ ଚିହ୍ନଟ କରି ବିକ୍ରି କରିବା ପାଇଁ ପାରିବାରିକ ନିଷ୍ପତି ନେଇଥିଲେ । ଉକ୍ତ ଜମି ବିକ୍ରୀ ପାଇଁ କ୍ରେତା ଯୋଗାଡ ହେବା ପରେ ଜମିର ନଥିପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେତେବେଳେ ଜଣା ପଡ଼ିଥିଲା ଯେ, ଉକ୍ତ ଜମିଟି ଗତ ୨୦୨୨ ସେପ୍ଟେମ୍ବର ୨୩ ତାରିଖରେ ବିକ୍ରି ହୋଇସାରିଛି । ପରବର୍ତ୍ତୀ ସମୟରେ ଏହି ଜମି ବିକ୍ରିର ସମସ୍ତ ବିଷୟରେ ଅନୁସନ୍ଧାନ କରିବାରେ ଜଣାପଡ଼ିଥିଲା ଯେ, ଗୋବିନ୍ଦ ମେହେର ନାମକ ଜନୈକ ଧୂର୍ତ୍ତ ବ୍ୟକ୍ତି ମୃତ ବିନୋଦ କୁମାର ଗୁପ୍ତାଙ୍କ ନକଲି ପରିଚୟ ପତ୍ର ପ୍ରଦାନ କରି ଉକ୍ତ ଜମି ଅନ୍ୟ କାହାରିକୁ ବିକ୍ରି କରି ଦେଇଛନ୍ତି । ନିଜ ପରିବାରର ଏକ ମୂଲ୍ୟବାନ ଜମି ଅନ୍ୟ କେହି କିପରି ହଡ଼ପ କରି ଅନ୍ୟକୁ ବିକ୍ରି କରିପାରିଲା ସେନେଇ ଆଜି ମୃତ ବିନୋଦଙ୍କ ଭାଇ ମୁରାରୀ କୁମାର ଗୁପ୍ତା ସବିଶେଷ ତଥ୍ୟ ଓ କାଗଜାତ୍ ସଂଲଗ୍ନ କରି ସମ୍ବଲପୁର ଜିଲ୍ଲା ଉପ ପଞ୍ଜିକରଣ ଅଧିକାରୀ(ଡିଏସଆର)ଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏଥି ସହିତ ନିଜ ଜମିର ପୁରୁଣା ନକଲି ପଞ୍ଜିକରଣକୁ ବାତିଲ କରି ନୂତନ ଭାବେ ତାଙ୍କୁ ଜମି ବିକ୍ରିର ପଞ୍ଜିକରଣ ପାଇଁ ଅନୁମତି ଦେବାପାଇଁ ଅନୁରୋଧ କରିଛନ୍ତି ।
ଏଠାରେ ଏବେ ସାଧାରଣରେ ପ୍ରଶ୍ନ ଉଠେ ଯେ, ବିକାଶଶୀଳ ରାଷ୍ଟ୍ରରେ ଏତେ ବଡ ବିଶାଳ ଡିଜିଟାଲ ଦୁନିଆଁ ଓ ଇ- ଗଭର୍ଣ୍ଣାନ୍ସ ବ୍ୟବସ୍ଥା ଥିବା ସତ୍ତ୍ବେ ଏଭଳି ଜାଲିଆତି ହେଲା କିପରି । ଜିଲ୍ଲା ପ୍ରଶାସନର କେଉଁ ଦୁର୍ବଳତାର ରାସ୍ତାରେ ଦଲାଲ କିସମର ଧୂର୍ତ୍ତ ମାନେ ଅନ୍ୟର ଜମିକୁ ବିକ୍ରି-ଖରିଦ କରିବାରେ ସଫଳ ହୋଇପାରୁଛନ୍ତି ତାହା ତଦନ୍ତ ସାପେକ୍ଷ । ଅପରପକ୍ଷେ ନକଲି ପରିଚୟ ପତ୍ର ତିଆରି କରୁଥିବା ବ୍ୟକ୍ତି, ପ୍ରଶାସନିକ କଳର ଏହାକୁ ଯାଞ୍ଚ କରୁଥିବା ଅଧିକାରୀ ଓ ଏଭଳି ଘଟଣାରେ ସାକ୍ଷ୍ୟ ଦେଉଥିବା ଦଲାଲ କିସମର ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନ ବିଭାଗ କି ପଦକ୍ଷେପ ନେବ ତାହା ଏବେ ମୁଖ୍ୟ ପ୍ରଶ୍ନବାଚୀ ହୋଇଛି । ଗୋଟିଏ ପଟେ ରାଜ୍ଯରେ ସ୍ବଛ ଓ ନିର୍ମଳ ସରକାରର ଶାସନ ଚାଲିଥିବା ବେଳେ ଏଭଳି ଭ୍ରଷ୍ଟାଚାର ଓ ଦୁର୍ନୀତି କିଭଳି ହୋଇପାରୁଛି ସେନେଇ ବହୁ ବୁଦ୍ଧିଜୀବୀ ଉଦବେଗ ପ୍ରକାଶ କରିଥିବା ବେଳେ ଜିଲ୍ଲାର ସଂଖ୍ୟାଧିକ ଅଶିକ୍ଷିତ, ସାଧାରଣ, ଗରିବ, ଦଳିତ, ଆଦିବାସୀ ଲୋକଙ୍କ ଜମି କେତେ ସୁରକ୍ଷିତ ତାହା ଆମର ସ୍ବଛ ଓ ନିର୍ମଳ ସରକାରର ଶାସନକଳ ପ୍ରତି ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରାଇଛି ।