
ଧର୍ମଶାଳା : ଯାଜପୁର ଜିଲା ଧର୍ମଶାଳା ବ୍ଲକ ପାଖର ପଂଚାୟତ ଅଧିନସ୍ଥ ବାଜବାଟି ଗ୍ରାମରେ ବିଷ ପିଇ ଗୁରୁତର ଆହତ ହୋଇଥିବା ଚାଷୀ ନିତ୍ୟାନନ୍ଦଙ୍କର ମୃତ୍ୟୁ ଘଟିଛି । ଋଣଭାର ସହି ନ ପାରି ସେ ମୃତ୍ୟୁବରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ମୃତ ଚାଷୀ ଜଣକ ହେଲେ ବାଜବାଟି ଗ୍ରାମର ନିତ୍ୟାନନ୍ଦ ପରିଡା ।
ନିତ୍ୟାନନ୍ଦ ୨ ଦିନ ତଳେ ବାଜବାଟି ମୌଜାରେ ଥିବା ଚାଷ ଜମିକୁ ରକ୍ଷଣାବେଷଣ ପାଇଁ ଯାଇଥିଲେ । ଜମିରେ ପାଣି ନ ଥିବାରୁ ଧାନ ଗଛ ସବୁ ମରି ଯାଇଥିବା ଦେଖି ସେ ଦୁଃଖରେ ଭାଙ୍ଗି ପଡି ଥିଲେ । ଫଳରେ ମାନସିକ ଭାରସାମ୍ୟ ହରାଇ ଜମିରେ କୀଟନାଶନ ଔଷଧ ପକାଇବାକୁ ନେଇ ଯାଇଥିବା ସମସ୍ତ ଔଷଧକୁ ପିଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ନିଆଯାଇଥିଲା । ତେବେ ରବିବାର ବିଳମ୍ବିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ନିତ୍ୟାନନ୍ଦ ବିଭିନ୍ନ ସୂତ୍ରରୁ ଋଣ କରି ୩ ଏକର ଜମିରେ ଧାନ ଫସଲ କରିଥିଲେ । ଫଳରେ ଫସଲରେ ବ୍ୟାପକ କ୍ଷତି ହେବାରୁ ଆତ୍ମହତ୍ୟା କରିଥିବା ପରିବାର ଅଭିଯୋଗ କରିଥିବା ବେଳେ କଳାପଥର ଖାଦାନ ଥିବାରୁ ବର୍ଷା ଜଳ ଜମିକୁ ନ ଆସି ଖାଦାନକୁ ବହି ଯାଉଥିବାରୁ ଫସଲ ହାନି ହେବାର ଅନ୍ୟ ଏକ କାରଣ ହୋଇଥାଇପାରେ ବୋଲି ଅଂଚଳରେ ଚର୍ଚ୍ଚା ହୋଇଛି । ଆଜି ଅପରାହ୍ନରେ ତାଙ୍କ ମର ଶରୀରକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କ ଶବ ହସ୍ତାନ୍ତରିତ କରାଯାଇଥିଲା । ଶବ ଗାଁରେ ପଂହଚିବା ପରେ ଯାଜପୁର ଏଡିଏମ ଓ ଧର୍ମଶାଳା ତହସିଲଦାର ପଂହଚି ଘଟଣା ସମ୍ପର୍କରେ ବୁଝିଥିଲେ । ପରେ ଶବ ସତ୍କାର କରାଯାଇଥିବା ଜଣାପଡିଛି ।
ଏହି ଘଟଣାର ତଦନ୍ତ ଚାଲିଛି । ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଯାଜପୁର ଜିଲାପାଳ ଚକ୍ରବର୍ତୀ ସିଂ ରାଥୋଡ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ।