ଲକ୍ଷ୍ନୌ : ଲକ୍ଷ୍ନୌର ପାରାରେ ଥିବା ତାକିୟାବାଲା ମସଜିଦରେ ଶିଶୁ ଚାଲାଣ କରାଯାଉଥିବାର ସଙ୍ଗୀନ ଅଭିଯୋଗ ହୋଇଛି । ତେବେ ଖବର ପାଇବା ପରେ ମସଜିଦରୁ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରିଛନ୍ତି ଆଣ୍ଟି ହ୍ୟୁମାନ ଟ୍ରାଫିକିଂ ୟୁନିଟ୍ ଓ ଶିଶୁ ସୁରକ୍ଷା ଆୟୋଗ । ଦିଲ୍ଲୀରେ ଏକ ବସରେ ସନ୍ଦେହଜନକ ଭାବେ ଜଣେ ମୌଲବୀଙ୍କ ସହ ୬ଜଣ ଶିଶୁଙ୍କୁ ଦେଖିବାକୁ ମିଳିଥିଲା । ତେବେ କିଛି ସ୍ୱେଚ୍ଛାସେବୀ ସଙ୍ଗଠନ ପଚରାଉଚରା କରିବା ପରେ ଶିଶୁ ସୁରକ୍ଷା ଆୟୋଗକୁ ସୂଚନା ଦେଇଥିଲେ । ପଚରାଉଚରା ସମୟରେ ତାକିୟାବାଲା ମସଜିଦରେ ୧୨ ଜଣ ଶିଶୁ ଥିବା ସୂଚନା ମିଳିଥିଲା । ଏହାପରେ ଆଣ୍ଟି ହ୍ୟୁମାନ ଟ୍ରାଫିକିଂ ୟୁନିଟ୍ ଓ ଶିଶୁ ସୁରକ୍ଷା ଆୟୋଗ ମସଜିଦରେ ଚଢାଉ କରି ଶିଶୁମାନଙ୍କୁ ଉଦ୍ଧାର କରିଛି ।
ଖବର ଅନୁସାରେ, ପାରାରୁ ଜଣେ ଦଲାଲ ବାହାରୁ ଶିଶୁମାନଙ୍କୁ ନେଇ ଏହି ମସଜିଦରେ ରଖିଥାନ୍ତି । ତେବେ ଶିଶୁମାନେ ଏଠାରେ କଣ କରନ୍ତି, କିଭଳି ସେମାନଙ୍କୁ ଚାଲାଣ କରାଯାଏ ଏବେ ସେ ଦିଗରେ ଶିଶୁମାନଙ୍କୁ ପଚରାଉଚରା କରଯାଉଛି । ଏବଂ ଉଦ୍ଧାର କରାଯାଇଥିବା ଶିଶୁମାନଙ୍କର ମାନସିକ ସ୍ଥିତି ଏବେ ଭଲ ନଥିବା ବେଳେ ସେମାନଙ୍କ ଘରକୁ ପଠାଇବାର ବ୍ୟବସ୍ଥା କରାଯାଇଛି ।
ଚାଇଲ୍ଡ ଲାଇନ ପକ୍ଷରୁ କୁହାଯାଇଛି ଯେ, ବସରୁ ସନ୍ଦେହଜନକ ଭାବେ ମୌଲବୀଙ୍କୁ ଶିଶୁଙ୍କ ସହ ଦେଖିବା ପରେ ପଚରାଉଚରା କରାଯାଇଥିଲା । ଏହି ସମୟରେ ମସଜିଦରେ ଶିଶୁ ଚାଲାଣ ହେବାର ସୂଚନା ମିଳିଥିଲା । ଏହାସହ ବେଆଇନ ଭାବେ ଏକ ମଦରସା ମଧ୍ୟ ଚାଲିଥିବାର ଜଣାପଡିଥିଲା । ମୌଲବୀଙ୍କୁ ଲଘୁସଂଖ୍ୟକ ବିଭାଗ ପକ୍ଷରୁ ପଚରାଉଚରା କରାଯାଇଛି ।