ଭୁବନେଶ୍ୱର : ଦୀର୍ଘ 8 ବର୍ଷ ଧରି ପୋଲିସ ସହ ଲୁଚକାଳି ଖେଳି ଚକମା ଦେଉଥିବା ପୁର୍ବତନ ବିଡିଓଙ୍କୁ ଶେଷରେ ଭିଜିଲାନ୍ସ ଧରିବାରେ ସଫଳ ହୋଇଛି । ତାଙ୍କ ନାଁରେ ୭ଟି ପ୍ରକଳ୍ପରେ ୩୪ ଲକ୍ଷ ଟଙ୍କା ହଡ଼ପ ମାମଲା ରହିଛି । ତାଙ୍କୁ ଭିଜିଲାନ୍ସ ଦିଲ୍ଲୀରୁ ଗିରଫ କରିବା ପରେ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଛି । ତାଙ୍କୁ ଟ୍ରାଂଜିଟ ରିମାଂଡରେ ଓଡିଶା ଅଣା ଯାଉଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ 2015 ମସିହା ଠାରୁ କୋରାପୁଟ ନାରାୟଣ ପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ ଫେରାର ଥିଲେ । ତାଙ୍କ ନାଁରେ ୭ଟି ପ୍ରକଳ୍ପରେ ୩୪ ଲକ୍ଷ ଟଙ୍କା ହଡ଼ପ ମାମଲା ରହିଛି। ଅଙ୍ଗନବାଡି କେନ୍ଦ୍ର, ରାସ୍ତା ନିର୍ମାଣ, ଡାଇଭରସନ ରାସ୍ତା ସହ ନରେଗା କାମରେ ଏହି ଠକେଇ ହୋଇଥିବା ଅଭିଯୋଗ ରହିଛି । ଭିଜିଲାନ୍ସ ତାଙ୍କୁ ଧରିବାକୁ ଚେଷ୍ଟା କରୁଥିଲା । ହେଲେ ସେ ପୋଲିସ ସହ ଲୁଚକାଳି ଖେଳୁଥିଲେ । ସେ ଦିଲ୍ଲୀରେ ବାରମ୍ବାର ଘର ବଦଳାଇ ରହି ଆସୁଥିଲେ । ସେହିପରି ଆସାମ ଜୋରହାଟ ଅଞ୍ଚଳରେ ମଧ୍ୟ ଲୁଚି ରହୁଥିଲେ ରମେଶ । ଆଜି ଆସାମରୁ ଦିଲ୍ଲୀ ଫେରିବା ବେଳେ ତାଙ୍କୁ ଗିରଫ କରିଥିଲା ।