ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦେଇ ଅଭିଯୁକ୍ତ ଧରାପଡିଛି । ଅଭିଯୁକ୍ତ ଜଣକ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା କରିବା ପାଇଁ ତାଙ୍କ ଟିମକୁ ଏକ ଧମକପୂର୍ଣ୍ଣ ଫୋନ କଲ୍ କରିଥିଲା । ଏନେଇ ଅଭିଯୋଗ ପରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜ କରି ଏହାର ତଦନ୍ତ କରିଥିଲା । ପୋଲିସ ଫୋନ୍ କଲ୍କୁ ଟ୍ରେସ କରି ବେଙ୍ଗାଲୁରୁରୁ ଫୋନ୍ କଲ୍ ଆସିଥିବା ଜାଣିବାକୁ ପାଇଥିଲା । ଏହାପରେ ଏକ ଟିମ୍ ବେଙ୍ଗାଲୁରୁ ଯାଇ ଅଭିଯୁକ୍ତଙ୍କୁ ଦିଲ୍ଲୀ ଆଣି ପଚରା ଉଚୁରା କରିଥିଲା । ତେବେ ପଚାରଉଚରା ସମୟରେ ଅଭିଯୁକ୍ତ ଜଣକ ଧମକପୂର୍ଣ୍ଣ ଫେନା କଲ୍ କରିଥିବା ସ୍ୱୀକାର କରିଛି । ଅବସାଦ ହେତୁ ଏମିତି ଫୋନ୍ କଲ୍ କରିଦେଇଥିବା ଅଭିଯୁକ୍ତ ଜଣକ କହିବା ସହ ଫୋନ୍ କରିବା ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିବା କହିଛି । ଏନେଇ କ୍ଷମା ମାଗିବା ସହ ଭବିଷ୍ୟତରେ ଏଭଳି କରିବନି ବୋଲି କହିଛି ଅଭିଯୁକ୍ତ ।
ବୈଜୟନ୍ତ ପଣ୍ଡାଙ୍କ ଅଫିସ ପକ୍ଷରୁ କୁହାଯାଇଛି ଯେ,ସତ ସ୍ପଷ୍ଟ ହେବା ପରେ ଉକ୍ତ ବ୍ୟକ୍ତି ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନନେବାକୁ ଦିଲ୍ଲୀ ପୋଲିସକୁ ଅନୁରୋଧ କରାଯାଇଛି ଏବଂ ତାକୁ ଛାଡ଼ି ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି। ବ୍ୟକ୍ତି ଜଣକ ଯେପରି ଆଉ କୌଣସି ହଇରାଣ ନ ହେବ,ସେଥିପାଇଁ ତା ନାଁ ମଧ୍ୟ ଗୋପନ ରଖାଯାଇଛି।