ଖୋର୍ଦ୍ଧା : ଖୋର୍ଦ୍ଧା ସଦର ଥାନା ଅଞ୍ଚଳରେ ଜଣେ ଗର୍ଭବତୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ନିଜିଗଡ଼ ତାପଙ୍ଗ ଗଡ ସାହିରେ । ମୃତକ ଗର୍ଭବତୀ ମହିଳା ହେଲେ ନିରାକାରପୁର ଥାନା ଯାଜପୁର ଗ୍ରାମର କଣ୍ଡୁରୀ ମହତରାୟଙ୍କ ଝିଅ ଅହଲ୍ୟା (୨୪ ବର୍ଷ)। ତେବେ ଶ୍ଵଶୁର ଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ମାଆ ଭାନୁମତି ଦେଇ । ଖବର ପାଇ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ସ୍ୱାମୀଙ୍କୁ ଅଟକ ରଖିଛି ।
ଅଭିଯୋଗ ଅନୁଯାୟୀ, ନିରାକାରପୁର ଥାନା ଅନ୍ତର୍ଗତ ଯାଜପୁର ଗ୍ରାମର କଣ୍ଡୁରୀ ମହତରାୟଙ୍କ ଝିଅ ଅହଲ୍ୟା(୨୪ ବର୍ଷ) ନିଜିଗଡ ତାପଙ୍ଗର ରଘୁନାଥ ପାହାନ୍ତାସିଙ୍ଗ ପୁଅ ସର୍ବେଶ୍ଵରଙ୍କୁ ଗତ ଫେବୃୟାରୀ ମାସ ୧୦ ତାରିଖରେ ବିବାହ କରିଥିଲେ । ସେ ୬ ମାସର ଗର୍ଭବତୀ ଥିଲେ । ବାହାଘର ସମୟରେ ସମସ୍ତ ଯାନୀ ଯୌତୁକ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଅଧିକ ଯୌତୁକ ଦାବି କରି ଅହଲ୍ୟାଙ୍କ ଶ୍ଵଶୁର ଘର ଲୋକ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ତେବେ ଶନିବାର ସନ୍ଧ୍ୟା ୫ଟାରେ ଝିଅର ଦେହ ଖରାପ ଅଛି, ମେଡିକାଲରେ ଭର୍ତ୍ତି କରାଯାଇଛି ବୋଲି ଜ୍ୱାଇଁ ଫୋନ କରି କହିଥିଲେ । ସେଠାରେ ଡାକ୍ତର ଅହଲ୍ୟାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଶ୍ୱଶୁର ଘର ପରିବାର ଲୋକେ ଫେରାର ହୋଇଯାଇଛନ୍ତି । ଏନେଇ ଝିଅକୁ ହତ୍ୟା କରାଯାଇଥିବା ମୃତକ ଅହଲ୍ୟାଙ୍କ ବାପଘର ପକ୍ଷରୁ ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏଥିରେ ଶ୍ଵଶୁର, ଜ୍ୱାଇଁ, ଶାଶୁ, ନଣଦ, ନଣଦେଇ, ଦିଅରଙ୍କ ନାଁରେ ଅଭିଯୋଗ ହୋଇଛି । ପୋଲିସ ମୃତକଙ୍କ ସ୍ୱାମୀକୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି ।