କୋଲକାତା : ନିଯୁକ୍ତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଇଡିର ନୋଟିସ ପରେ ଦିଲ୍ଲୀରେ କେନ୍ଦ୍ର ସରକାରକୁ ଘେରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପଶ୍ଚିମବଙ୍ଗରେ ଶହେ ଦିନର ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ମନରେଗା ଫଣ୍ଡ ରୋକିବା ବିରୋଧରେ ଅକ୍ଟୋବର 2ରୁ ଦିଲ୍ଲୀରେ ଧାରଣା ଦେବେ ଶ୍ରମିକ । ଏଥିପାଇଁ କୋଲକାତାରୁ ହଜାର ହଜାର ମନରେଗା ଶ୍ରମିକ ଦିଲ୍ଲୀରେ ପହଞ୍ଚିବା ଆରମ୍ଭ କଲେଣି ।
ତୃରମୂଳ କଂଗ୍ରେସ ଅନୁସାରେ ପାଖାପାଖି 4ହଜାର ମନରେଗା କାର୍ଯ୍ୟକର୍ତ୍ତା ସେପ୍ଟେମ୍ବର 30ରେ ଦଳ ପକ୍ଷରୁ ବୁକ୍ ହୋଇଥିବା ଏକ ସ୍ପେଶାଲ ଟ୍ରେନରେ ଦିଲ୍ଲୀ ଯିବେ । ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମନରେଗା ହିତାଧିକାରୀ କୋଲକାତାରେ ପହଞ୍ଚିଛନ୍ତି । ଦଳ ପକ୍ଷରୁ ନେତାଜୀ ଇନଡୋର ଷ୍ଟାଡିୟମରେ ସେମାନଙ୍କ ରହଣି ବ୍ୟବସ୍ଥା କରାଯାଇଛି । ଗୁରୁବାର ସର୍ବାଧିକ ଶ୍ରମିକ ପହଞ୍ଚିଛନ୍ତି । ଏହି ସବୁ ଶ୍ରମିକ ଦିଲ୍ଲୀ ଯିବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ଦିଲ୍ଲୀରେ ସେମାନଙ୍କ ରହଣି ନିମନ୍ତେ ବ୍ୟବସ୍ଥା କରାଯାଇଛି । ଅକ୍ଟୋବର 3ରେ ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ଭେଟି ମନରେଗାର ବାକି ଥିବା ଅର୍ଥ ସମ୍ପର୍କରେ ଆଲୋଚନା କରିବେ ।