ମାଲକାନଗିରି : ଚୋରାମଦ ବିକ୍ରିକୁ ବିରୋଧ କରିବାରୁ ଏସଏଚଜି ମହିଳାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଏପରି ଏକ ଘଟଣା ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ କିଆଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି ।
ଘଟଣାରୁ ପ୍ରକାଶ, ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ଶିକ୍ଷକତା କରୁଛନ୍ତି ବୋଲି ମହିଳାମାନେ କହିଛନ୍ତି । ଉକ୍ତ ଗାଁ ଘାଟି ଉପରେ ଥିବାରୁ ସେ କେବେ ମଧ୍ୟ ବିଦ୍ୟାଳୟକୁ ଯାଉ ନ ଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟକୁ ନ ଯାଇ ସେ ଗ୍ରାମରେ ଚୋରାମଦ ବିକ୍ରି କରୁଥିବା ଅଭିଯୋଗ ହେଉଛି । ମାଥିଲି ଅବକାରୀ ବିଭାଗ ନିକଟକୁ ଗ୍ରାମବାସୀ ବାରମ୍ବାର ଯାଇ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ବି ଅଭିଯୋଗ ଆସିଛି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସେହି ଗ୍ରାମ ତଥା ପଞ୍ଚାୟତର ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଦୁଇଦିନ ପୂର୍ବେ ଏ ସମ୍ପର୍କରେ ମାଥିଲି ଥାନାରେ ଜଣାଇଥିଲେ । କିନ୍ତୁ, କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଗତକାଲି ସମସ୍ତ ମହିଳା ଏକଜୁଟ ହୋଇ ପଞ୍ଚାୟରେ ମଦ ବନ୍ଦ ପାଇଁ ଏକ ଶୋଭାଯାତ୍ରା କରିଥିଲେ । ମହିଳାମାନେ ଶୋଭାଯାତ୍ରାରେ ଆସି ମଦ ବନ୍ଦ କରିବାକୁ ବିଭିନ୍ନ ନାରାବାଜି ଦେଇଥିଲେ । କିନ୍ତୁ, ସଂପୃକ୍ତ ବ୍ୟକ୍ତି ମହିଳାଙ୍କ ସହ ଯୁକ୍ତିତର୍କ କରିଥିଲେ । ସେ ଏସଏଚଜି ମହିଳାମାନଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଏ ନେଇ ମହିଳାମାନେ ମାଥିଲି ଥାନାରେ ଏକ ଏତଲା ଦେଇଛନ୍ତି ।
ଏ ସମ୍ପର୍କରେ ମାଥିଲି ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକଙ୍କୁ ପଚାରିବାରୁ ଗତକାଲି ମହିଳା ମାନେ ଆସି ଏତଲା ଦେଇଥିବା କହିଛନ୍ତି। ଏତଲା ଆଧାରରେ କେସ ନମ୍ବର ୨୧୧/୨୩ ରେ ଏକ ମାମଲା ରୁଜୁ ହୋଇଛି। ଥାନାର ଗୋଟିଏ ଟିମ୍ ତଦନ୍ତ କରିବା ନିମନ୍ତେ କିଆଙ୍ଗ ଯାଇଛନ୍ତି। ସେମାନେ ତଦନ୍ତ କରି ଫେରିବା ପରେ ଦୋଷୀକୁ ନିୟମାନୁଯାୟୀ ଉଚିତ୍ ଦଣ୍ଡ ବିଧାନ କରାଯିବ ବୋଲି ମାଥିଲି ଥାନା ଅଧିକାରି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି । ଅପରପକ୍ଷରେ ଉକ୍ତ ବ୍ୟକ୍ତିଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।