ମାଲକାନଗିରି, ୧୨ ଅଗଷ୍ଟ – ଜିଲ୍ଲାରେ ମିଳିଲା ନାହିଁ ଶ୍ରମିକ ପରିଚୟ ପତ୍ର । ଫଳରେ ବାହାର ରାଜ୍ୟ ଦାଦନ ଖଟିବାକୁ ଯାଇଥିଲେ । ସେହିଠାରେ ହିଁ ପ୍ରାଣ ହରାଇଛନ୍ତି ମାଲକାନଗିରି ଜିଲ୍ଲାର ଜଣେ ଆଦିବାସୀ ଯୁବକ ପ୍ରଶାନ୍ତ ।
ସୂଚନାଯୋଗ୍ୟ ଯେ, ମାଲକାନଗିରି ସଦର ମହକୁମା ୧୧୯ କଲୋନୀରେ ଦୀର୍ଘ ବର୍ଷ ଧରି ରହୁଥିଲେ ପ୍ରଶାନ୍ତଙ୍କ ପରିବାର । ତାଙ୍କ ବାପା ଏକ ଚା’ ଦୋକାନରେ କାମ କରୁଥିଲେ । ଯେତିକି ରୋଜଗାର ହେଉଥିଲା ସେଥିରେ ପରିବାର ପ୍ରତିପୋଷଣ ହେଉନଥିଲା । ତେଣୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଶ୍ରମିକ ପରିଚୟ ପତ୍ରଟିଏ ପାଇଁ ପ୍ରଶାନ୍ତ ଆବେଦନ କରିଥିଲେ । ହେଲେ ଦୀର୍ଘ ବର୍ଷ ଧରି ତାଙ୍କୁ ଶ୍ରମିକ ପରିଚୟ ପତ୍ରଟିଏ ମିଳିପାରିନଥିଲା । ଫଳରେ ପରିବାର ଚଳାଇବାକୁ ଯାଇ ପ୍ରଶାନ୍ତ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ । ଗତ ଦୁଇ ବର୍ଷ ଧରି ଆନ୍ଧ୍ର ପ୍ରଦେଶରେ ଖୁବ୍ ଅଳ୍ପ ମଜୁରିରେ କାମ କରୁଥିଲେ ପ୍ରଶାନ୍ତ । ଶୁକ୍ରବାର ଏକ ଠିକା କାର୍ଯ୍ୟ ଚାଲିଥିବା ସ୍ଥାନରେ ତାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । ଆନ୍ଧ୍ର ପ୍ରଦେଶରୁ ମାଲକାନଗିରି ପର୍ଯ୍ୟନ୍ତ ଶବ ଆଣିବା ଲାଗି ପ୍ରଶାନ୍ତଙ୍କ ସ୍ତ୍ରୀଙ୍କ ପାଖରେ ଅର୍ଥ ନଥିବା ବେଳେ ଠିକା କମ୍ପାନୀ ମଧ୍ୟ ଆଗ୍ରହ ପ୍ରକାଶ କରୁନାହାନ୍ତି । ମାଲକାନଗିରି ଜିଲ୍ଲା ଶ୍ରମ ବିଭାଗ ମଧ୍ୟ ପ୍ରଶାନ୍ତଙ୍କ ମୃତଦେହ ଆଣିବା ଲାଗି କୌଣସି ପ୍ରୟାସ କରୁନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି ।