ଭୁବନେଶ୍ୱର : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଭୁବନେଶ୍ୱର ଉପକଣ୍ଠ ଛତାବରସ୍ଥିତ ମହାତ୍ମା ଗାନ୍ଧୀ କାରାଗାର ଓ ସଂସ୍କାର ସେବା ଏକାଡେମୀ ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତି ଉନ୍ମୋଚିତ ହୋଇଛି । ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ଅବକାରୀ ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର ଏହାକୁ ଉନ୍ମୋଚନ କରିଛନ୍ତି ।
ଏହି ପ୍ରତିମୂର୍ତି ନିର୍ମାଣ ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା କରାଯାଇଛି । ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ, ଖୋରଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଅରବିନ୍ଦ ଚୌଧୁରୀ ଦାସ, ଏକାଡେମୀ ନିର୍ଦ୍ଦେଶକ ତଥା କାରା ନିର୍ଦ୍ଦେଶାଳୟର ଉପନିରୀକ୍ଷକ ଗରୀବ ସାହୁ, ଉପ ନିର୍ଦ୍ଦେଶକ ବିରେନ୍ଦ୍ର ନାଥ ମାହାଲି, ସହକାରୀ ନିର୍ଦ୍ଦେଶକ ଡଃ ବୀର କିଶୋର ଦାଶ, ସହକାରୀ ନିର୍ଦ୍ଦେଶକ ରମାକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଏକାଡେମୀ ପରିବେଶକୁ ମନ୍ତ୍ରୀ ଶ୍ରୀ ପାତ୍ର ପ୍ରଶଂସା କରିବା ସହ ଏଠାରେ ଆହୁରି ଅଧିକ ବୃକ୍ଷ ରୋପଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଉନ୍ମୋଚନ ଉତ୍ସବ ସମାପନ ପରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନେ ଏକାଡେମୀ ପରିସରରେ ଥିବା ତାଲିମ ବ୍ୟବସ୍ଥାଗୁଡିକ ବୁଲି ଦେଖିଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ, ଏକାଡେମୀର ସହକାରୀ ନିର୍ଦ୍ଦେଶକ ତଥା ରେଜିଷ୍ଟ୍ରାର ସନ୍ତୋଷ କୁମାର ପଟ୍ଟନାୟକ, ସମସ୍ତ ଶାରୀରିକ ତାଲିମ ପ୍ରଶିକ୍ଷକ, କର୍ମଚାରୀ ଓ ତାଲିମ ନେଉଥିବା କାରାରକ୍ଷୀ ପ୍ରଶିକ୍ଷାର୍ଥୀମାନେ ଉପସ୍ଥିତ ଥିଲେ ।