ଭୁବନେଶ୍ୱର : ଚିଲିକାରେ ଚାଲିବ ସୌରଚାଳିତ ବା ବ୍ୟାଟେରୀ ଚାଳିତ ବୋଟ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ଚିଲିକାରେ ପ୍ରଦୂଷଣ କମାଇବା ଏବଂ କାର୍ବନ ନିର୍ଗମନ ମାତ୍ରାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଦୀର୍ଘ ଦିନରୁ ପ୍ରସ୍ତାବିତ ପଦକ୍ଷେପ ଖୁବ୍ ଶିଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି । ଏ ସଂପର୍କରେ ଶୁକ୍ରବାର ଓଡ଼ିଶା ଅକ୍ଷୟ ଶକ୍ତି ଉନ୍ନୟନ ସଂସ୍ଥା (ଓରେଡା) ତରଫରୁ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ,ଜଙ୍ଗଲ ଓ ପରିବେଶ ବିଭାଗ,ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଓରେଡାର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।
ଚିଲିକା ହେଉଛି ଏସିଆର ସବୁଠାରୁ ବଡ଼ ଲବଣାକ୍ତ ହ୍ରଦ । ଅନେକ ପ୍ରଜାତିର ସ୍ଥାନୀୟ ଏବଂ ପ୍ରବାସୀ ପକ୍ଷୀଙ୍କର ଏକ ବାସସ୍ଥଳୀ ହେତୁ ଏହା ‘ରାମସାର ସମ୍ମିଳନୀ ଅଧୀନରେ ଅନ୍ତର୍ଜାତୀୟ ଗୁରୁତ୍ୱପୂର୍ଣ୍ଣ ଆର୍ଦ୍ରଭୂମି’ (ରାମସାର ଓ୍ୱେଟ୍ ଲ୍ୟାଣ୍ଡ ଅଫ୍ ଇଣ୍ଟରନ୍ୟାସନାଲ ଇମ୍ପୋର୍ଟାନ୍ସ) ରେ ସ୍ଥାନିତ ହୋଇଛି । ହଜାର ହଜାର ପ୍ରବାସୀ ପକ୍ଷୀଙ୍କ ଦୀର୍ଘ ଯାତ୍ରାରେ ଚିଲିକା ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ଥାୟୀ ରହଣି (ଷ୍ଟପ୍ ଓଭର ପଏଣ୍ଟ ) ଭାବରେ କାର୍ଯ୍ୟ କରେ । ଚିଲିକା ବିଭିନ୍ନ ପ୍ରଜାତିରମାଛ, କଙ୍କଡ଼ା, ଚିଙ୍ଗୁଡ଼ି ଓଅନ୍ୟାନ୍ୟ ଜଳଜୀବଙ୍କ ସହ ବିରଳ ଇରଓ୍ୱାଡି ଡଲଫିନ୍ ମାଛଙ୍କ ଘର ଭାବେ ଏହାର ସ୍ୱତନ୍ତ୍ର ପରିଚୟ ରହିଛି । ଏଥି ସହିତ ଚିଲିକାର ଲୁଣାପାଣିଏକ ସମୃଦ୍ଧ ଜୈବ ବିବିଧତାକୁ ସମର୍ଥନ କରେ ।ଚିଲିକାରୁ ମାଛ ଧରିବା ହଜାର ହଜାର ପରିବାରଙ୍କ ଜୀବିକାର୍ଜନର ମାଧ୍ୟମ ହୋଇଛି ଓ ସେମାନଙ୍କର ଆଞ୍ଚଳିକ ଅର୍ଥନୀତି ପ୍ରତି ଯୋଗଦାନ ରହିଛି । ବିଦେଶାଗତ ପକ୍ଷୀ, ଡଲଫିନ୍ ମାଛ, କାଳିଜାଇ ମନ୍ଦିର ଏବଂ ବିଭିନ୍ନ ଜଳ କ୍ରୀଡା କାର୍ଯ୍ୟକଳାପ ଯୋଗୁଁ ଚିଲିକାପର୍ଯ୍ୟଟକଙ୍କ ଏକ ପ୍ରମୁଖ ଲକ୍ଷ୍ୟ ସ୍ଥଳ ହୋଇପାରିଛି । ସ୍ଥାନୀୟ ବୋଟ୍ ଚିଲିକାକୁ ଯାତାୟତର ପ୍ରମୁଖ ମାଧ୍ୟମ ଅଟନ୍ତି ।
କିନ୍ତୁ ଦେଖାଯାଇଛି ଯେ, ଚିଲିକାରେଡିଜେଲ ଚାଳିତ ମୋଟର ବୋଟ୍ ବ୍ୟବହାର ଦ୍ୱାରା ଏହା ବିଭିନ୍ନ ପ୍ରକାର ପ୍ରଦୂଷଣର କାରଣ ହେଉଛି । ଏହି ପ୍ରକାର ବୋଟରେ ବ୍ୟବହୃତ ହେଉଥିବା ତେଲ ଅଧିକାଂଶ ସମୟରେ ହ୍ରଦରେ ମିଶୁ ଥିବାରୁ ଜଳ ପ୍ରଦୁଷଣ, ବାୟୁ ପ୍ରଦୁଷଣ ଏବଂ ବୋଟର ଶବ୍ଦରୁ ଶବ୍ଦ ପ୍ରଦୁଷଣହୋଇଥାଏ । ଏଥି ଯୋଗଁମ ଜଳ ପରିସଂସ୍ଥାରେଅସନ୍ତୁଳନ ଦେଖାଦେଉଛି;ବିଦେଶାଗତ ପକ୍ଷୀମାନଙ୍କ ସଂଖ୍ୟା କମୁଛି ଓ ଡ଼ଲଫିନ୍ ମାଛମାନଙ୍କର ଗତି ପଥ ମଧ୍ୟ ହ୍ରଦରୁ ଦୂରେଇ ଯାଉଥିବା ଆଶଂକା ରହୁଛି ।
ସୌର ଚାଳିତ ବା ବ୍ୟାଟେରୀ ଚାଳିତ ବୋଟ୍ ପ୍ରାରମ୍ଭିକ ପର୍ଯ୍ୟାୟରେ କିଛିକାଂଶରେ ବ୍ୟୟ ସାପେକ୍ଷ ହେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାର ବାର୍ଷିକପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ କମ୍ ହୋଇଥାଏ । ଓରେଡା ତରଫରୁ ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ସୌରଚାଳିତ ଓ ବ୍ୟାଟେରୀ ଚାଳିତ ବୋଟ୍ ମଡେଲ ଗୁଡିକ ପ୍ରଦର୍ଶିତ କରାଯାଇଥିଲା ।
ଏ ଦିଗରେ ‘ଓରେଡା’ ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟାରମ୍ଭ କରିବାକୁ ସ୍ଥିର କରିଥିବା ବେଳେ ଏ କ୍ଷେତ୍ରରେ ରହିଥିବା ବୈଷୟିକ-ବାଣିଜ୍ୟିକ ସମ୍ଭାବନାକୁ ସବିଶେଷ ଅନୁଧ୍ୟାନ କରାଯିବ । ବର୍ତ୍ତମାନ ରହିଥିବା ମାଛଧରା, ପର୍ଯ୍ୟଟକ ଡଙ୍ଗାଗୁଡିକରେ ନିର୍ମାଣ ଶୈଳୀରେ ଆବଶ୍ୟକପରିବର୍ତ୍ତନ କରାଯାଇ ତାହାକୁ ସୌରଚାଳିତ ବୈଦ୍ୟୁତିକ ବୋଟରେ ପରିଣତକରାଯିବ । ଏଥି ପାଇଁ ଉପକୃତ ହେବାକୁ ଥିବା ମତ୍ସ୍ୟଜୀବୀ, ପର୍ଯ୍ୟଟକ ବୋଟ ଚାଳକ ଆଦି ଅଂଶୀଦାରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ । ନୂତନ ବୋଟର ସହଜ ପରିଚାଳନା ଓ ସରଳ ରକ୍ଷଣାବେକ୍ଷଣ ପଦ୍ଧିତ ସଂପର୍କରେ ବୁଝାଯିବ । ଶକ୍ତି ବିଭାଗ, ଓଟିଡିସି, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ,ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହଯୋଗରେ ଓରେଡା ଏହି ପାଇଲଟ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ । ପ୍ରାଥମିକ ପର୍ଯ୍ୟାୟରେ ଚିଲିକାର ବିଭିନ୍ନ ସ୍ଥାନରେ ସୌର-ବ୍ୟାଟେରୀ ଚାଳିତ ବୋର୍ଟ ଚଳାଇବାକୁ ଆବଶ୍ୟକ ପ୍ରସ୍ତୁତି ପାଇଁ ଓରେଡାକୁ ନିର୍ଦ୍ଦେଶ ଦିଆଯାଇଛି ।