କନ୍ଧମାଳ : ପୁଅ ପାଠ ପଢି ଚାକିରି କରିବ, ଆଉ କିଛି ରୋଜଗାର କରି ଘରର ଦାୟିତ୍ବ ନେବ ବୋଲି ଆଶା ରଖିଥିଲେ ଗରିବ ବାପା ମାଆ। ହେଲେ ପୁଅ ଏବେ ରୋଗରେ ପଡି ଶଯ୍ୟାଶାୟୀ। ଆଜିକୁ ଦେଢ ବର୍ଷ ହେଲା ପେଟ ରୋଗରେ ପୀଡିତ। ପୁଅର ଚିକିତ୍ସା ପାଇଁ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନାକୁ ନେଇ ବାପା ବହୁ ଅର୍ଥ ଖର୍ଚ୍ଚ କରିସାରିଲେଣି, କିନ୍ତୁ କୌଣସି ସୁଫଳ ମିଳିନାହିଁ। ଯାହା ସଞ୍ଚିତ ଧନ ଥିଲା ତାହା ଔଷଧପତ୍ରରେ ସରିଲା। ଅର୍ଥ ଅଭାବରୁ ଏବେ ପୁଅକୁ ଚିକିତ୍ସା କରିବା ପାଇଁ ଅକ୍ଷମ ବାପା ସରକାରୀ ସହାୟତା ପାଇଁ ଗୁହାରି କରୁଛନ୍ତି।
ପୁଅ ପାଠ ପଢ଼ି ରୋଜଗାର କରିବ ଆଉ ପରିବାରର ଦାୟିତ୍ବ ନେବ ବୋଲି ଆଶା ରଖିଥିଲେ ବାପା ରଞ୍ଜିତ ମୁଖୀ, କିନ୍ତୁ ପୁଅ ନୃସିଂହ ମୁଖୀ ପେଟ ରୋଗ ହୋଇ ଶଯ୍ୟାରେ ପଡ଼ିଥିବାରୁ ବାପା ଏବେ ଚିନ୍ତାରେ। କନ୍ଧମାଳ ଜିଲା ଫୁଲବାଣୀ ସଦର ମହକୁମା ମା ମଙ୍ଗଳା ସାହିର ରଞ୍ଜିତ ମୁଖୀଙ୍କ ଦୁଇ ପୁଅ ଗୋଟଏ ଝିଅ। ବାପା ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ, ଘରର ବଡ଼ ପୁଅ ନୃସିଂହ ଦେଢ ବର୍ଷ ହେଲା ପେଟରୋଗରେ ପୀଡିତ ହୋଇ ଘରେ ପଡ଼ିଛନ୍ତି। ବାପା ରଞ୍ଜିତ ନିଜ ଖର୍ଚ୍ଚରେ ବ୍ରହ୍ମପୁର ଠାରୁ କଟକ ନେଇ ଚିକିତ୍ସା କରିଥିଲେ, କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ। ବାପା ଦିନ ମଜୁରିଆ ହୋଇଥିବାରୁ ସଞ୍ଚିତ କରିଥିବା ଅର୍ଥ ସରି ଯାଇଛି। ପୁଅର ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ରହିଛି।
ବହୁ କଷ୍ଟରେ ନୃସିଂହ ଯୁକ୍ତ ଦୁଇ ପାଠ ପଢୁଥିଲା, କିନ୍ତୁ କିଛି ଦିନ ପରେ ଜଣାପଡିଲା ଯେ ନୃସିଂହ ପେଟରେ ଅଜଣା ରୋଗ ହୋଇଛି। ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ମଧ୍ୟ ରୋଗ ଭଲ ହୋଇନାହିଁ। ଦିନକୁ ଦିନ ପେଟ ଯନ୍ତ୍ରଣା ବଢି ଚାଲିଲା। ଏହା ପରେ ବାହାରକୁ ଚିକିତ୍ସା ପାଇଁ ଗଲେ ନୃସିଂହ। ଡାକ୍ତରଙ୍କ ପରାମର୍ଶ ନେବା ପରେ ନୃସିଂହଙ୍କ ଖାଦ୍ୟ ନଳୀରେ କୌଣସି ଅସୁବିଧା ଥିବା ଯୋଗୁ ଏଭଳି ହୋଇଥିବା ଡାକ୍ତର କହିଥିଲେ। ଅତିଶୀଘ୍ର ଅସ୍ତ୍ରୋପଚାର କରିବାକୁ ପଡ଼ିବ ଏବଂ ଅସ୍ତ୍ରୋପଚାର ପାଇଁ ପର୍ଯ୍ୟାପ୍ତ ଅର୍ଥ ଆବଶ୍ୟକ ଥିବା ଯୋଗୁ ଏବେ ନିରୁପାୟ ହୋଇଛନ୍ତି ବାପା। ଦିନ ମଜୁରିଆ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଛନ୍ତି। କିନ୍ତୁ ପୁଅର ଚିକିତ୍ସା ପାଇଁ ସଞ୍ଚିତ କରିଥିବା ଅର୍ଥ ଖର୍ଚ କରିଥିବା ଯୋଗୁ ହାତରେ ପଇସାଟିଏ ବି ନାହିଁ । ରଞ୍ଜିତ ମୁଖୀଙ୍କର ଏଭଳି ଦୁଃଖ ଦେଖି ସାହିରେ ରହୁଥିବା ପଡୋଶୀ କିଛି ଅର୍ଥ ସଂଗ୍ରହ କରି ନୃସିଂହଙ୍କ ଚିକିତ୍ସା ପାଇଁ ଦେଇଛନ୍ତି। କିନ୍ତୁ ଅସ୍ତ୍ରପଚାର ପାଇଁ ଅନେକ ଗୁଡିଏ ଟଙ୍କା ଆବଶ୍ୟକ ଏଣୁ, ସରକାର କିମ୍ବା ସହୃଦୟ ବ୍ୟକ୍ତି, ସ୍ଵେଚ୍ଛାସେବୀ ସଂଗଠନ ଗୁଡିକ ସହଯୋଗର ହାତ ବଢ଼ାଇଲେ ନୃସିଂହ ସୁସ୍ଥ ହୋଇପାରନ୍ତା ବୋଲି କହିଛନ୍ତି ତାଙ୍କ ବାପା।