ଭୁବନେଶ୍ୱର:– ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ହେଉଥିବା ଭାରତ ଯୋଡ଼-ଓଡ଼ିଶା ପରିବର୍ତନ ପଦଯାତ୍ରା ଆଜି ରାଉରକେଳାର ଫର୍ଟିଲାଇଜର ଟାଉନ୍ସିପରୁ ବାହାରି ବେଦଭ୍ୟାସ ଛକରେ ପହଂଚିଛି । ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ କହିଲେ ଯେ, ଦୀର୍ଘ ୨୨ ବର୍ଷ ଧରି ରାଜ୍ୟରେ ଏକ ନିକମା ଏବଂ ପ୍ରତିଶ୍ରୁତି ଓ ପ୍ରତାରଣାର ସରକାର ଚାଲିଛି । ରାଜ୍ୟର ହଜାର ହଜାର ବେକାର ଯୁବକ / ଯୁବତୀ ନିଯୁକ୍ତି ନ ପାଇଁ ହାହୁତାଶ ମଧ୍ୟରେ କାଳ କାଟୁଛନ୍ତି । ଏ ରାଜ୍ୟର କୃଷକର ଭବିଷ୍ୟତ ଧାନ ମଣ୍ଡିରେ ବନ୍ଧା ପଡ଼ିଛି । ସପ୍ତାହ ସପ୍ତାହ ଧରି କୃଷକ ତା’ର ଧାନ ବିକ୍ରିକରିବା ପାଇଁ ଅପେକ୍ଷା କରି ବସିଛି । ମଣ୍ଡିରେ ସାମାନ୍ୟତମ ସୁବିଧା ମଧ୍ୟ ନାହିଁ । ରାଜ୍ୟର ଶ୍ରମିକ ସ୍ୱଳ୍ପ ରୋଜଗାରକାରୀ ବର୍ଗ, ଆଦିବାସୀ, ପଛୁଆବର୍ଗ ଏବ ବିଶେଷ କରି ମହିଳାମାନେ ଆଜି ବହୁ ଦୁଃଖ ଓ ଦୁର୍ଦ୍ଦିଶା ଦେଇ ଗତିକରୁଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ଏ ରାଜ୍ୟ ସରକାର କେବଳ ନବୀନ ବାବୁଙ୍କର ପ୍ରଚାର ଓ ପ୍ରସାର କାର୍ଯ୍ୟ ପାଇଁ ସଂପୂର୍ଣ୍ଣଭାବେ ସମର୍ପିତ । ବିଶ୍ୱ କପ୍ ହକି ଆୟୋଜନ ଆମ ରାଜ୍ୟ ପାଇଁ ନିଶ୍ଚିତ ଗର୍ବ ଓ ଗୌରବର କଥା । ଏପରି ଆୟୋଜନ କରାଯିବା କଥା କିନ୍ତୁ ଆଜି ରାଉରକେଲା ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ହଜାର ହଜାର ଛାତ୍ର / ଛାତ୍ରୀଙ୍କୁ ଭେଟିଲାବେଳେ ସେମାନେ ଯେଉଁ ମୌଳିକ ପ୍ରଶ୍ନ ଉତ୍ଥାପନ କରିଛି ତାହା ଅତ୍ୟନ୍ତ ଉଦ୍ବେଗର ବିଷୟ । କଲେଜ ମାନଙ୍କର ଖେଳ ଶିକ୍ଷକ ନାହାନ୍ତି, ଖେଳ ଉପକରଣ ନାହିଁ, ଏପରିକି ମହିଳା ମହାବିଦ୍ୟାଳୟରେ ହଷ୍ଟେଲ ମାନଙ୍କର ପରିଶ୍ରାଗର ଓ ସ୍ନାନାଗାର ନାହିଁ କହିଲେ ଚଳେ । କଲେଜ ମାନଙ୍କରେ ନିର୍ବାଚନକୁ ବନ୍ଦ କରିବା ଓ ଛାତ୍ର / ଛାତ୍ରୀମାନେ ଆଦୌ ଗ୍ରହଣ କରୁନାହାନ୍ତି । ଶ୍ରୀ ପଟ୍ଟନାୟକ ଛାତ୍ର/ଛାତ୍ରୀ ମାନଙ୍କୁ ଉତର ଦେଇ କହିଥିଲେ ଏ ସରକାର ଗଣତନ୍ତ୍ର ବିରୋଧି । ଗଣତନ୍ତ୍ରର ପରିଭାଷା ଏହାଙ୍କୁ ଜଣାନାହିଁ । ଛାତ୍ର ନିର୍ବାଚନ ଦ୍ୱାରା ହିଁ ନୂତନ ନେତୃତ୍ୱର ଆଶା ଓ ସମ୍ଭାବନାର ସୃଷ୍ଟି ହୋଇଥାଏ । ଫଳରେ ବିଗତ କିଛି ବର୍ଷ ଧରି ରାଜ୍ୟରେ ନୂତନ ଯୁବ ଓ ଯବୁତୀ ନେତୃତ୍ୱ ସୃଷ୍ଟି କରାଯାଇପାରୁନାହିଁ । କଂଗ୍ରେସ ସରକାରକୁ ଆସିଲେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ମାନଙ୍କରେ ନିର୍ବାଚନ କରାଯିବ । ଠିକ୍ ସେହିଭଳି ଭାବରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଉପଯୁକ୍ତ କ୍ରିଡ଼ା ଭିତିଭୂମି ସୃଷ୍ଟି କରିବା ସହିତ ତାଲିମ୍ପ୍ରାପ୍ତ କ୍ରିଡ଼ା ଶିକ୍ଷକ ନିଯୁକ୍ତି କରାଯାଉ ଏବଂ ଉପଯୁକ୍ତ ପ୍ରତିଭାଙ୍କୁ କଲେଜ ସ୍ତରରୁ ଚୟନ କରି ତାଙ୍କୁ ଉପଯୁକ୍ତ ତାଲିମ, ରହିବା ଏବଂ ଅଭ୍ୟାସ ବ୍ୟବସ୍ଥା ସହ ସମସ୍ତ ସୁବିଧା ସୁଯୋଗ କରାଯିବ । କଂଗ୍ରେସ ସରକାର ସମୟରେ କ୍ରିଡ଼ାକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରେ କଳିଙ୍ଗ ଷ୍ଟାଡ଼ିୟମ ଗଢ଼ାଯାଇଥିଲା ଓ କ୍ରିଡ଼ା ଛାତ୍ରାବାସ ସହିତ ଖେଳାଳିଙ୍କୁ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଉଥିଲା । ଏହି ପଦଯାତ୍ରାରେ ପୂର୍ବତନ ପ୍ରଦେଶ କଂଗ୍ରେସର ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ଲଲାଟେନ୍ଦୁ ମହାପାତ୍ର, ସୁନ୍ଦରଗଡ଼ ଜିଲ୍ଲା ସଭାପତି ବେଣୁମାଧମ ତ୍ରିପାଠି, ସୁନ୍ଦରଗଡ଼ ଜିଲ୍ଲାର ପର୍ଯ୍ୟବେକ୍ଷକ ବିଦୁଭୂଷଣ ତ୍ରିପାଠି, ରାଉରକେଲା ଜିଲ୍ଲା ସଭାପତି ଦେବବ୍ରତ ବିହାରୀ, ବିରେନ ସେନାପତି, ରାଜେନ୍ଦ୍ର ଛତ୍ରିଆ, ଶୁଭେନ୍ଦୁ ମହାନ୍ତି, ଦୁର୍ଗା ପାଢ଼ୀ, ଲୋକନାଥ ମହାରଥି, ମାନସ ମଲ୍ଲିକ, ରବି ରାୟ, କୈଳାସ ସାହୁ, ସରୋଜୀନି ବାଙ୍କ୍ରା, ରଶ୍ମି ପାଢ଼ୀ, ମହିଳା, ଛାତ୍ର, ଯୁବ କଂଗ୍ରେସର ନେତୃବୃନ୍ଦ ଏବଂ ସେବାଦଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।
……………