କୋଲକାତା : କୋଲକାତାରେ ପୁରୁଣା ଘର ଭୁଷୁଡିବା କାରଣରୁ ତଳେ ଚାପିହୋଇ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଉତ୍ତର କୋଲକାତାର ପାଥୁରିୟାଘାଟା ଅଞ୍ଚଳରେ ଏକ ବହୁ ପୁରୁଣା ଘରର କିଛି ଅଂଶ ଭୁଶୁଡିପଡିଛି । ଯାହାର ତଳେ ଚାପି ହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଏହି ଅଘଟଣ ଯୋଗୁ ଜଣେ ନାବାଳିକାଙ୍କ ସମେତ ଅନ୍ୟ ଦୁଇଜଣ ଲୋକ ଆହତ ହୋଇଛନ୍ତି । ତେବେ ଚିକିତ୍ସା ପାଇଁ 2ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି ।
ବୁଧବାର ରାତି ପ୍ରାୟ ସାଢେ ଦଶଟା ସମୟରେ ଶହେ ବର୍ଷର ପୁରୁଣା ଏକ ପାଞ୍ଚମହଲା କୋଠାର କିଛି ଅଂଶ ଭୁଶୁଡିଯାଇଥିଲା । ତେବେ ଏହାତଳେ ଜଣେ ମହିଳାଙ୍କ ସମେତ ତିନି ଜଣ ଚାପି ହୋଇଯାଇଥିଲେ । ତେବେ ଭୁଶୁଡିବାର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଏଠାରେ ରୁଣ୍ଡ ହେବା ସହ ପୋଲିସକୁ ଖବର ଦେଇଥିଲେ । ଖବର ପାଇ କୋଲକାତା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲା । ରାତି 3ଟା ସମୟରେ ଏହି ଭଗ୍ନାବଶେଷକୁ ହଟାଯାଇଥିଲା । ଏବଂ ଏଠାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସେହିପରି 3ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 2ଜଣଙ୍କୁ ମେଡିକାଲ ପଠାଇ ଦିଆଯାଇଛି । କୋଳକାତା ମହାନଗର ନିଗମ ପକ୍ଷରୁ ଏହି କୋଠାକୁ ବିପଦସଙ୍କୁଳ ଘୋଷଣା କରାଯାଇଥିଲା ।